ଆବୁଧାବୀ: ଟି-୨୦ ବିଶ୍ୱକପ-୨୦୨୧ରେ ଭାରତ ତାର ପ୍ରଥମ ବିଜୟ ହାସଲ କରିଛି । ଆଜି ଭାରତ ପ୍ରତିପକ୍ଷ ଆଫଗାନିସ୍ତାନକୁ ୬୬ ରନରେ ହରାଇଛି । ଏଥି ସହିତ ଦଳ ପଏଣ୍ଟ ତାଲିକାରେ ଖାତା ଖୋଲିଛି । ଏହି ବିଜୟ ସହ ଭାରତ ୨ ପଏଣ୍ଟ ମିଳିଛି । ଭାରତ ପ୍ରଥମ ବ୍ୟାଟିଂ କରି ୨ ଉଇକେଟ ବିନିମୟରେ ୨୧୦ ରନ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ଦଳ ୨୦ ଓଭର ଖେଳି ୭ ଉଇକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲା ।
ଆବୁ ଧାବିରେ ଖେଳାଯାଉଥିବା ଏହି ମ୍ୟାଚରେ ଆଫଗାନିସ୍ତାନ କ୍ୟାପଟେନ ମହମ୍ମଦ ନବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରାହୁଲ୍ ଓ ରୋହିତ। ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ହେଲେ ସେଟ୍ ହେବା ରୋହିତ୍ ଓ ରାହୁଲ୍ ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ୍ ଧୋଇଥିଲେ।
ଦୁହେଁ ପ୍ରଥମ ୧୧.୪ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ପ୍ରଥମେ ରୋହିତ୍ ୩୭ ବଲରେ ଏବଂ ପରେ ରାହୁଲ୍ ୩୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୪.୪ ଓଭରରେ ୧୪୦ ରନର ଭାଗିଦାରୀ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ବଡ଼ ଶଟ୍ ଖେଳିବା ପ୍ରୟାସରେ ରୋହିତ୍ ଆଫଗାନ୍ ବୋଲର କରିମ୍ ଜନ୍ନତଙ୍କ ଶିକାର ହୋଇଥିଲେ। ପରେ ରାହୁଲ୍ ମଧ୍ୟ ନିଜର ୱିକେଟ୍ ଦେଇ ବସିଥିଲେ। ରାହୁଲଙ୍କୁ ଗୁଲବଦିନ ନଇବ ପ୍ୟାଭିଲିୟନ୍ ପଠାଇଥିଲେ।
ଦୁହିଁଙ୍କ ଆଉଟ୍ ପରେ ଭାରତର ରନ୍ ଗତି କମିଯାଇଥିଲା। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ଧୂଆଁଧାର ବ୍ୟାଟିଂ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଖରାପ ଫର୍ମରେ ଥିବା ହାର୍ଦ୍ଦିକଙ୍କର ପୁରୁଣା ଚମକ ଦେଖିବାକୁ ମିଳିଥିଲା। ଉଭୟ ହାର୍ଦ୍ଦିକ ଓ ପନ୍ତ ତୃତୀୟ ୱିକେଟ୍ ପାଇଁ ୨୧ ବଲରେ ୬୩ର ପାର୍ଟନରଶିପ୍ କରିଥିଲେ। ହାର୍ଦ୍ଦିକ ୧୩ ବଲରେ ୪ ଚୌକା ଓ ୨ ଛକା ସହ ୩୫ ଓ ପନ୍ତ ୧୩ ବଲରେ ୧ ଚୌକା ଓ ୩ ଛକା ସହ ୨୭ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ନଇବ ଓ ଜନ୍ନତ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।