ଏକାଧିକ ରେକର୍ଡର ଅଧିକାରୀ ହେଲେ ଆଜମ

0 94

କରାଚି: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ୧୯୬ ରନ୍‌ର ମାରାଥନ ଇନିଂସ ଖେଳି ବାବର ପାକିସ୍ତାନକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି । ୫୦୬ ରନ୍‌ର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ କରାଚି ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ୨୧ ରନରେ ଦୁଇଟି ୱିକେଟ ହରାଇଥିଲା । ୪ର୍ଥ ଦିବସରେ ଆରମ୍ଭରୁ ପାକିସ୍ତାନ ଦୁଇଟି ୱିକେଟ ହରାଇଥିବାରୁ ମ୍ୟାଚଟିକୁ ଅଷ୍ଟ୍ରେଲିଆ ଜିତି ନେବ ବୋଲି ଆଶା କରାଯାଉଥିଲା । ହେଲେ ବାବର ଧୈର୍ଯ୍ୟ ଦେଖାଇ ଅଷ୍ଟ୍ରେଲିଆ ବୋଲରଙ୍କ କଡା ମୁକାବିଲା କରିଥିଲେ । ସେ ପ୍ରାୟ ୨ ଦିନ କାଳ ବ୍ୟାଟିଂ କରି ପାକିସ୍ତାନକୁ ଉଦ୍ଧାର କରିଥିଲେ । ସେ ୧୯୬ ରନର ଇନିଂସ ଖେଳିଥିବା ବେଳେ ଅବଦୁଲ୍ଲା ଶଫିକ୍ୟୁ ୯୬ ଓ ଶେଷ ଭାଗରେ ମହମ୍ମଦ ରିଜୱାନ ଅପରାଜିତ ୧୦୪ ରନ୍‌ କରିଛନ୍ତି । ଫଳରେ ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟ ମଧ୍ୟ ଡ୍ର ହୋଇଯାଇଛି । ଅଷ୍ଟ୍ରେଲିଆ ୫୦୬ ରନ୍‌ର ଟାର୍ଗେଟ ଦେଇଥିବା ବେଳେ ପାକିସ୍ତାନ ୭ ୱିକେଟ ହରାଇ ୪୪୩ ରନ୍‌ କରିବାକୁ ସକ୍ଷମ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୫୫୬/୯ ପରେ ପାଳି ଘୋଷଣା କରିଥିଲା । ଏହାର ଜବାବରେ ପାକିସ୍ତାନ ୧୪୮ ରନ୍‌ରେ ଅଲଆଉଟ ହୋଇ ଯାଇଥିଲା । ଅଷ୍ଟ୍ରେଲିଆ ପୁଣି ବ୍ୟାଟିଂ କରି ୯୭/୨ ପରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଦ୍ୱିତୀୟ ଟେଷ୍ଟରେ ୧୯୬ ରନ୍‌ର ଇନିଂସ ଖେଳିଥିବା ବାବର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେ ୪୨୫ ବଲ୍‌ ଖେଳି ୧୯୬ ରନ୍‌ କରିଛନ୍ତି । ୪ର୍ଥ ଇନିଂସରେ କୌଣସି ଦଳର ଅଧିନାୟକ ଏତେ ରନ୍‌ କରିବା ପ୍ରଥମ ଘଟଣା । ଏହାପୂର୍ବରୁ ପାକିସ୍ତାନ ପାଇଁ ୪ର୍ଥ ଇନିଂସରେ ସର୍ବାଧିକ ରନ୍‌ କରିଥିବା ୟୁନିସ ଖାନଙ୍କ ରେକର୍ଡକୁ ଭାଙ୍ଗିଥିଲେ ବାବର । ୨୦୧୫ରେ ୟୁନିସ ଖାନ ଶ୍ରୀଲଙ୍କା ବିପକ୍ଷରେ ୧୭୧ ରନ୍‌ କରିଥିଲେ । ହେଲେ ବାବର ୧୯୬ ରନ୍‌ କରି ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − twelve =