ବୌଦ୍ଧ, ୨୦/୭:- ବୌଦ୍ଧ ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅଲ ଓଡିଶା ଚେସ ଆସୋସିଏସନ ଉପ ସଭାପତି ତଥା ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ରଙ୍କ ପୌରାହିତ୍ୟରେ ଆଜି ୨୦ ଜୁଲାଇ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତ ମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ଆୟୋଜିତ ହୋଇଥିବା ଚେସ କୋଚିଂ କ୍ୟାମ୍ପ ସମାପନ ହେବା ସହ କ୍ୟାମ୍ପରେ ଭାଗ ନେଇଥିବା ଉକ୍ତ ବିଦ୍ୟାଳୟର ୪୦ ଜଣ ଛାତ୍ରୀ ଏବଂ ୩୫ ଜଣ ଛାତ୍ରଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।


ଅନ୍ତର୍ଜାତୀୟ ଚେସ ଦିବସ ତଥା କୋଚିଂ କ୍ୟାମ୍ପ ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବାଳିଆରସିଂ, ସମ୍ମାନିତ ଅତିଥି ଭାବେ ଦୈନିକ ହୀରାଞ୍ଚଳ ସମ୍ପାଦକ ଯୁଗଳ କିଶୋର ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଜାନୀ, ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ସସ୍ମିତା ସେନାପତି, ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ସଭାପତି ରଜନୀକାନ୍ତ ଦାଶ, ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ କୋଷାଧ୍ୟକ୍ଷ ନିରୋଜ କୁମାର ମେହେର ଯୋଗ ଦେଇଥିଲେ। ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ଅନିଶା ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିରୋଜ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆୟୁଷ ଅଙ୍କିତ ଦାନୀ ସହଯୋଗ କରିଥିଲେ।

ଏହି ଅବସରରେ ପୂର୍ବତନ ଚେସ ଖେଳାଳି ରଜନୀକାନ୍ତ ଦାଶ ଏବଂ ଚେସ କୋଚ ସନ୍ତୋଷ କୁମାର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ଅଗଷ୍ଟ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ୬୫ ତମ ଷ୍ଟେଟ ସିନିଅର ଫିଡେ ରେଟିଂ ଚେସ ଚାମ୍ପିୟାନସିପ ୨୦୨୫ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଉପ ସଭାପତି ଶଙ୍କର ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ଯେଉଁଥିରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଜଣାପଡିଛି।
