ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ : ବଡ ଲମ୍ଫ ମାରି ଟପ୍‌-୫ରେ ବୁମରା

0 80

ନୂଆଦିଲ୍ଲୀ, ୧୬/୩ : ଆଇସିସି ବୁଧବାର ଜାରି କରିଛି ଟେଷ୍ଟ ମାନ୍ୟତା ତାଲିକା । ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଉପରକୁ ଉଠି ଶୀର୍ଷ ୫ରେ ପ୍ରବେଶ କରିଛନ୍ତି । ସେ ଛଅଟି ପାହାଚ ଡେଇଁ ୮୩୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ସେ ଦଶମ ସ୍ଥାନରେ ଥିଲେ । କିନ୍ତୁ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କୁ ନିରାଶ ହେବାକୁ ପଡ଼ିଛି । ବ୍ୟାଟିଂରେ କୋହଲି ତଳକୁ ଖସି ନବମରେ ପହଞ୍ଚିଥିବା ବେଳେ ଅଲରାଉଣ୍ଡର ର‍୍ୟାଙ୍କିଙ୍ଗରେ ଜାଡେଜା ଦ୍ୱିତୀୟକୁ ଖସିଛନ୍ତି । ଶ୍ରୀଲଙ୍କା ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ବୁମରା ଘରୋଇ ମାଟିରେ ପ୍ରଥମ ଥର ୫ ୱିକେଟ୍‌ ହାସଲ କରି ମୋଟ୍‌ ୮ ୱିକେଟ୍‌ ନେଇଥିଲେ । ସେ ପାକିସ୍ତାନର ଶାହିନ ଆଫ୍ରିଦି, କାଇଲ୍‌ ଜେମିସନ, ଟିମ୍‌ ସାଉଦି, ଜେମ୍ସ ଆଣ୍ଡରସନ, ନିଲ ୱାଗନର ଏବଂ ଜୋସ୍‌ ହେଜେଲଉଡଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟସମ୍ୟାନ ମାନ୍ୟତାରେ ଶ୍ରୀଲଙ୍କାର ଅଧିନାୟକ ଦିମୁଥ କରୁଣାରତ୍‌ନେ ତିନୋଟି ସ୍ଥାନ ଉପରକୁ ଉଠି ଟପ୍‌-୫ରେ ପହଞ୍ଚିଛନ୍ତି । କରୁଣାରତ୍‌ନେ ଭାରତ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଥିଲେ । ମାତ୍ର ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ । ଏହା କରୁଣାରତ୍‌ନେଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍‌ । ସେ ବର୍ତ୍ତମାନ ମାର୍ନସ ଲାବୁସେନ, ଜୋ ରୁଟ୍‌, ଷ୍ଟିଭ୍‌ ସ୍ମିଥ ଏବଂ କେନ ୱିଲିୟମସନଙ୍କ ସହିତ ଶୀର୍ଷ ୫ରେ ଅଛନ୍ତି । ୱେଷ୍ଟଇଣ୍ଡିଜର ନକ୍ରମା ବୋନର ଏବଂ ଭାରତର ଶ୍ରେୟସ ଆୟର ବଡ ଲମ୍ଫ ମାରି କ୍ରମଶଃ ୨୨ ଏବଂ ୪୦ଟି ସ୍ଥାନ ଉପରକୁ ଉଠି ୨୨ତମ ଏବଂ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି । ଆୟର ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୯୨ ଏବଂ ୬୭ ରନର ଇନିଂସ ଖେଳିଥିଲେ । ତାଙ୍କୁ ଏହି ଇନିଂସର ଫାଇଦା ମିଳିଛି । ଅନ୍ୟପଟେ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ସେ ବେଙ୍ଗାଲୁରୁ ଟେଷ୍ଟର ଉଭୟ ଇନିଂସରେ ୨୩ ଏବଂ ୧୩ ରନ କରିଥିଲେ । ଫଳରେ ତାଙ୍କୁ ୪ଟି ସ୍ଥାନ ହରାଇବାକୁ ପଡିଛି । ସେହିପରି, ଅଲରାଉଣ୍ଡର ମାନ୍ୟତାରେ ଜାସନ ହୋଲଡର ରବୀନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇ ପୁଣି ଥରେ ପ୍ରଥମ ସ୍ଥାନକୁ ଉଠିଛନ୍ତି । ହୋଲଡର ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ ୮୨ ରନ କରିବା ସହିତ ୩ଟି ୱିକେଟ୍‌ ହାସଲ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − ten =