ଟି-୨୦ ବିଶ୍ୱକପ ଦଳରେ କାହିଁକି ସ୍ଥାନ ପାଇଲେନି ଶିଖର ଓ ଚହଲ, ଜାଣନ୍ତୁ କାରଣ

0 244

ନୂଆଦିଲ୍ଲୀ : ଗତକାଲି ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ଏହି ଦଳରେ ଅଭିଜ୍ଞ ଓପନର ଶିଖର ଧାୱନ ଓ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନାହିଁ । ଏହା ସମସ୍ତଙ୍କୁ ଚକିତ କରିଛି । ଦଳକୁ ୪ ବର୍ଷ ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଲେଉଟାଣି ହୋଇଛି । ଅଶ୍ୱିନଙ୍କ ସମେତ ଦଳରେ ୫ଜଣ ସ୍ପିନରକୁ ଚୟନ ସମିତି ସ୍ଥାନ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଅକ୍ଷର ପଟେଲଙ୍କୁ ସାମଲ କରାଯାଇଥିଲେ ମଧ୍ୟ ସ୍ପିନର ଚହଲଙ୍କୁ ସ୍ଥାନ ଦିଆଯାଇନାହିଁ । ସେହିପରି ଦଳରେ ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଓ ପାୱର ହିଟର ଭାବେ ପରିଚିତ ଇଶାନ କିଶାନଙ୍କୁ ଦଳରେ ସ୍ଥାନ ମିଳିଛି । ସେ ତୃତୀୟ ଓପନର ତଥା ଦ୍ୱିତୀୟ ଉଇକେଟ କିପର ଭାବେ ଦଳରେ ସ୍ଥାନ ପାଇଛନ୍ତି । ପନ୍ତ ଦଳର ମୁଖ୍ୟ ୱିକେଟ୍‌ କିପର ହେବେ । ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତେଇଶ ବର୍ଷ ବୟସ୍କ କିଶାନ୍‌ ଏବଂ ୩୦ ବର୍ଷିୟ ଚକ୍ରବର୍ତ୍ତୀଙ୍କୁ ପୁରସ୍କୃତ କରାଯାଇଛି । ୩୪ ବର୍ଷ ବୟସ୍କ ଅଶ୍ୱିନ୍‌ ତାଙ୍କର ଶେଷ ସୀମିତ ଓଭର ଆନ୍ତର୍ଜାତୀୟ ଜୁଲାଇ ୯, ୨୦୧୭ରେ ଖେଳିଥିଲେ । କେବଳ ଟି -୨୦ ଇଣ୍ଟରନ୍ୟାସନାଲ ହିଁ ସେ କିଙ୍ଗଷ୍ଟୋନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ଟେଷ୍ଟ କ୍ରିକେଟରେ ଭାରତର ସ୍ପିନ୍‌ ଆକ୍ରମଣରେ ଅଗ୍ରଣୀ ଥିବାବେଳେ ଅଶ୍ୱିନ୍‌ ଆଇପିଏଲରେ ନିଜର ଭଲ ପ୍ରଦର୍ଶନ କରି ଚୟନ ସମିତି ଦୃଷ୍ଟି ଆକର୍ଷଣ କରିଥିଲେ ।
ଚୟନ କମିଟିର ସଭାପତି ଚେତନ ଶର୍ମା ଶିଖର ଧାୱନଙ୍କୁ ଦଳରେ ଅନ୍ତର୍ଭୁକ୍ତ ନକରିବା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଧାୱନ ଜଣେ ଚମତ୍କାର ଖେଳାଳି, ସେ ଆମ ଯୋଜନାରେ ଜଡିତ ଅଛନ୍ତି । କିନ୍ତୁ ଆମକୁ ଟି -୨୦ ବିଶ୍ୱକପ ପାଇଁ ଇଶାନ କିଶନଙ୍କ ରୂପରେ ଜଣେ ଭିନ୍ନ ଖେଳାଳି ମିଳିଲା । ସେ ଏହି ଟୁର୍ନାମେଣ୍ଟରେ ଏକ୍ସଫ୍ୟାକ୍ଟର ହୋଇପାରନ୍ତି । ତେଣୁ ଧାୱନଙ୍କୁ ବିଶ୍ରାମ ଦିଆଯାଇଛି । ଏହା ନୁହେଁ ଯେ ସେ ଦଳ ବାହାରେ ଅଛନ୍ତି, ତାଙ୍କୁ ବର୍ତ୍ତମାନ ବିଶ୍ରାମ ଦିଆଯାଇଛି ଏବଂ ସେ ଶୀଘ୍ର ଫେରିବେ । ଇଶାନ କିଶନଙ୍କ ବିଷୟରେ ଶର୍ମା କହିଛନ୍ତି ଯେ ଏହି ଖେଳାଳି ଓପନର୍‌ ଭାବରେ ଏବଂ ଯେକୌଣସି ବ୍ୟାଟିଂ ଅର୍ଡର ମଧ୍ୟରେ ଖେଳିପାରିବେ । ଟି -୨୦ ବିଶ୍ୱକପ୍‌ରେ କିଶାନ ଏକ ଫ୍ଲୋଟର ଭୂମିକାରେ ରହିବେ, ଯେଉଁଥିପାଇଁ ତାଙ୍କୁ ଚୟନ କରାଯାଇଛି । ସୂଚନାଯୋଗ୍ୟ ଯେ, ଆଇପିଏଲରେ ଧାୱନଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ଆଇପିଏଲ୍‌ ୨୦୨୧ ରେ ଏପର୍ଯ୍ୟନ୍ତ ଧାୱନ ୮ ଟି ମ୍ୟାଚରେ ୩୮୦ ରନ୍‌ ସଂଗ୍ରହ କରିଛନ୍ତି । ଗତ ସିଜିନର ଆଇପିଏଲରେ ଶିଖର ଲଗାତାର ୨ ଶତକ ହାସଲ କରିବାର ଚମତ୍କାର କରିଥିଲେ ।

hiring


ଚୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା ଦଳ ବିଷୟରେ କହିଛନ୍ତି, “ଅଶ୍ୱିନ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ସେ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଆମକୁ ଅଭିଜ୍ଞ ଖେଳାଳି ଦରକାର । ୱାଶିଂଟନ୍‌ ସୁନ୍ଦରଙ୍କ ଆଘାତ ହେତୁ ଆମକୁ ଏକ ଅଫ୍‌ ସ୍ପିନର ଦରକାର ଥିଲା । ସେ କହିଛନ୍ତି ଯେ ଦଳର ଏକମାତ୍ର ଅଫ୍‌ ସ୍ପିନର ଅଶ୍ୱିନ୍‌ । ବରୁଣ ଜଣେ ରହସ୍ୟମୟ ସ୍ପିନର ଯିଏ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିପାରନ୍ତି । ”ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍‌ ଏବଂ ତାଙ୍କ କୋଟାର ସମସ୍ତ ଓଭର ବୋଲିଂ କରିବେ ।
ସେହିପରି ଚହଲଙ୍କ ଦଳରେ ସାମିଲ ନକରିବା ବିଷୟରେ କହିଛନ୍ତି ଆମେ ଚାହଲଙ୍କ ଅପେକ୍ଷା ରାହୁଲ ଚହରଙ୍କୁ ପସନ୍ଦ କରିଛୁ କାରଣ ଆମେ ଚାହୁଁଛୁ ଯିଏ ଦ୍ରୁତ ଗତିରେ ସ୍ପିନ ବୋଲିଂ କରିପାରୁଥିବା ତାହା ରାହୁଲ କରିପାରିବେ ବୋଲି ସେ ଆଶା ରଖିଛନ୍ତି । ଅକ୍ଷରକୁ ରବିନ୍ଦ୍ର ଜାଡେଜାଙ୍କ ବ୍ୟାକଅପ୍‌ ଅଲରାଉଣ୍ଡର ଭାବରେ ଚୟନ କରାଯାଇଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳର ଦ୍ରୁତ ବୋଲିଂ ବିଭାଗରେ ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ଭୁବନେଶ୍ୱର କୁମାରଙ୍କୁ ନାମିତ କରାଯାଇଥିବାବେଳେ ପାଣ୍ଡ୍ୟା ଦଳର ଚତୁର୍ଥ ଦ୍ରୁତ ବୋଲର ଅଟନ୍ତି । ଆହତ କାରଣରୁ ଗତ କିଛି ମାସ ଧରି ଦଳ ବାହାରେ ଥିବା ଶ୍ରେୟସ୍‌ ଆୟର, ଅଲରାଉଣ୍ଡର ଶାର୍ଦ୍ଦଲ ଠାକୁର ଏବଂ ପେସର୍‌ ଦୀପକ ଚହରଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି । ଇଂଲଣ୍ଡ ଗସ୍ତରେ ଭଲ ପ୍ରଦର୍ଶନ କରି ଠାକୁର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅକ୍ଟୋବର ୨୪ ରେ ଭାରତ ତାର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକପରେ ଖେଳିବ ।

hiranchal ad1
Leave A Reply

Your email address will not be published.

seventeen − eleven =