ନୂଆଦିଲ୍ଲୀ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଅନ୍ତର୍ଜାତୀୟ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି । ଟି-୨୦ ସିରିଜକୁ ୨-୧ରେ ଜିତିଥିବା ଭାରତୀୟ ଦଳ ମଧ୍ୟ ଦିନିକିଆ ସିରିଜରେ ବିଜୟ ସହ ଆରମ୍ଭ କରିବାକୁ ଚାହୁଁଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ପ୍ଲେଇଙ୍ଗ ଏକାଦଶ କିପରି ହୋଇପାରେ, ଏହା ଏକ ବଡ ପ୍ରଶ୍ନ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଖେଳିବା ସନ୍ଦେହଜନକ, କାରଣ ତାଙ୍କ ମାଂସପେଶୀରେ ଆଘାତ ଲାଗିଛି । ବିରାଟ ନ ଖେଳିଲେ ଏକାଦଶରେ ଶ୍ରେୟସ୍ ଆୟର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି ।
ବିରାଟ କୋହଲିଙ୍କ ସ୍ଥାନରେ ଶ୍ରେୟସ୍ ଆୟରଙ୍କୁ ସୁଯୋଗ ମିଳିବାକୁ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏକଦିବସୀୟ ଦଳକୁ ଫେରୁଛନ୍ତି । ତାଙ୍କ ବ୍ୟତୀତ ରବିନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ସହ ଖେଳୁଥିବା ନଜର ଆସିବେ । ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପାଞ୍ଚଜଣ ଉପଯୁକ୍ତ ବ୍ୟାଟ୍ସମ୍ୟାନ୍, ଦୁଇ ଅଲରାଉଣ୍ଡର ଏବଂ ଚାରି ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇବ ଯେଉଁଥିରେ ତିନି ଜଣ ପେସର୍ ରହିବେ । ୟୁଜବେନ୍ଦ୍ର ଚହଲଙ୍କ ସହ ରବୀନ୍ଦ୍ର ଜାଡେଜା ସ୍ପିନର ଦାୟିତ୍ୱ ତୁଲାଇବାକୁ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସମର୍ଥନ କରିବେ ।
ଶିଖର ଧାୱନ ଏବଂ ରୋହିତ ଶର୍ମା ଓପନର ଭାବେ ଖେଳିବାକୁ ଥିବାବେଳେ ସୂର୍ଯ୍ୟକୁମାର ଯାଦବ ତୃତୀୟ ନମ୍ବରରେ ଖେଳିବେ । ଶ୍ରେୟସ୍ ଆୟର ଚତୁର୍ଥ ନମ୍ବରରେ ଥିବାବେଳେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପଞ୍ଚମ ସ୍ଥାନରେ ଖେଳୁଥିବା ନଜର ଆସିବେ । ଟିମ୍ ଇଣ୍ଡିଆ ଦିନିକିଆ ସିରିଜ୍ ଉପରେ ଏତେ ଧ୍ୟାନ ଦେଇନାହିଁ, କାରଣ ଚଳିତ ବର୍ଷ ଏସିଆ କପ୍ ଏବଂ ବିଶ୍ୱକପ୍ ଟି -୨୦ ଫର୍ମାଟରେ ଅନୁଷ୍ଠିତ ହେବ । ତେବେ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍ ଖେଳାଯିବ ଏବଂ ଏଥିପାଇଁ ଦଳକୁ ମଧ୍ୟ ପ୍ରସ୍ତୁତ ହେବାକୁ ପଡିବ ।
ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଙ୍ଗ ଏକାଦଶ
ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ଶାମି, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା ।
ଇଂଲଣ୍ଡର ପ୍ଲେଇଙ୍ଗ ଏକାଦଶରେ ଜୋ ରୁଟ୍, ଜନି ବେୟାରଷ୍ଟୋ ଏବଂ ବେନ୍ ଷ୍ଟୋକ୍ସ ଦଳକୁ ଫେରିବେ । ତେବେ ଇଂରାଜୀ ଦଳ ପାଇଁ କେଉଁ ଦୁଇ ଖେଳାଳି ଓପନିଂ କରିବେ ତାହା ଦେଖିବାକୁ ବାକି ରହିଲା । ଜୋସ୍ ବଟଲର୍ ଜଣେ ଭଲ ଓପନର, କିନ୍ତୁ ଜନି ବେୟାରଷ୍ଟୋ ଜେସନ ରୟଙ୍କ ସହ ଦେଖିବାକୁ ମିଳିପାରେ । ଦୀର୍ଘ ଦିନ ଧରି ବଟଲର ଦିିନିକିଆ କ୍ରିକେଟରେ ଓପନିଂ କରିନାହାନ୍ତି ।ଏଥି ସହିତ, ଜୋ ରୁଟ୍ ତିନି ନମ୍ବର ଖେଳିବେ । ବୋଲିଂ ବିଭାଗରେ କିଛି ପରିବର୍ତ୍ତନ ହୋଇପାରେ ।