ମୁମ୍ଵାଇ ୧୩।୧୨: ଦକ୍ଷିଣ ଆଫ୍ରିକା ଗସ୍ତ କରିବା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା। ନବନିଯୁକ୍ତ ଆହତଜନିତ ସମସ୍ୟା କାରଣରୁ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡିଛନ୍ତି। ମୁମ୍ବାଇରେ ଅଭ୍ୟାସ୍ ସମୟରେ ରୋହିତଙ୍କ ଆଘାତ ଲାଗିଥିଲା। ଫଳରେ ସେ ଅଧିକ ସମୟ ଅଭ୍ୟାସ୍ ସେସନରେ ଯୋଗ ଦେଇ ପାରିନଥିଲେ। ଭାରତୀୟ ଦଳ ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ଯାତ୍ରା କରୁଥିବା ବେଳେ ଡିସେମ୍ବର ୨୬ରେ ଘରୋଇ ଦଳ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ।
ନୂତନ ଟେଷ୍ଟ ଉପ ଅଧିନାୟକ ରୋହିତ ଶର୍ମା ନିଜର ସାଥୀ ଖେଳାଳି ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, କେଏଲ ରାହୁଲ ଓ ଶାର୍ଦ୍ଦୁଳ ଠାକୁରଙ୍କ ସହିତ ସୋମବାର ଅପରାହ୍ନରେ ଶରଦ ପାଓ୍ଵାର ଏକାଡେମୀରେ ନେଟ୍ସରେ ଅଭ୍ୟାସ୍ କରୁଥିଲେ। ଏହି ସମୟରେ ତାଙ୍କ ହାତରେ ଆଘାତ ଲାଗିଛି। ରୋହିତ ଟେଷ୍ଟ ସିରିଜ୍ରୁ ବାହାର ହେବା ପରେ ପ୍ରିୟଙ୍କ ପାଞ୍ଚାଲଙ୍କୁ ତାଙ୍କ ସ୍ଥାନରେ ଦଳରେ ସାମିଲ୍ କରାଯାଇଛି।
ସୂଚନା ଅନୁଯାୟୀ, ରାହାଣେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ବ୍ୟାଟିଂ ଅଭ୍ୟାସ୍ କରିଥିଲେ। ଏହା ପରେ ରୋହିତ ଅଭ୍ୟାସ୍ ପାଇଁ ନେଟ୍ସକୁ ଆସିଥିଲେ। ତାଙ୍କୁ ଭାରତୀୟ ଦଳର ଥ୍ରୋ-ଡାଉନ୍ ସ୍ପେଶାଲିଷ୍ଟ ରଘୁବେନ୍ଦ୍ର ବ୍ୟାଟିଂ ଅଭ୍ୟାସ୍ କରାଉଥିଲେ। ଏହି ସମୟରେ ତାଙ୍କର ଗୋଟିଏ ବଲ୍ ରୋହିତଙ୍କ ଗ୍ଲୋଭ୍ସରେ ବାଜିଥିଲା। ଏଥିରେ ରୋହିତ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। କିଛି ସମୟ ଧରି ସେ ବିଚଳିତ ଜଣା ପଡିଥିଲେ। ଆଘାତ କିଛିଟା ଗୁରୁତର ଥିବାରୁ ତାଙ୍କୁ ଟେଷ୍ଟ ସିରିଜ୍ରୁ ବାଦ୍ ଦିଆଯାଇଛି।