ଆସନ୍ତାକାଲିଠାରୁ ଦ.ଆଫ୍ରିକା-ଭାରତ ଦିନିକିଆ ସିରିଜ,ବିରାଟଙ୍କ ଉପରେ ରହିବ ସମସ୍ତଙ୍କ ନଜର

0 113

ପର୍ଲ : ଆସନ୍ତାକାଲି ଆୟୋଜକ ଦ.ଆଫ୍ରିକା ଓ ଭାରତ ମଧ୍ୟରେ ପର୍ଲର ବୋଲାଣ୍ଡ ପାର୍କ ପଡିଆରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଦୀର୍ଘ ୭ ବର୍ଷ ପରେ ବିରାଟ ଜଣେ ଖେଳାଳିଭାବେ ଆସନ୍ତାକାଲିର ମ୍ୟାଚରେ ଖେଳିବେ । ସେ ଏହି ମ୍ୟାଚରେ ଯୁବ ଅଧିନାୟକ କେଏଲ ରାହୁଲଙ୍କ ଅଧିନାୟକତ୍ୱ ଖେଳିବେ । ମ୍ୟାଚ ସମୟରେ ପଡିଆରେ ତାଙ୍କ ଗତିବିଧି ଉପରେ ସମସ୍ତଙ୍କ ନଜର ରହିବ ଏହା ନିସନ୍ଦେହ । ବିରାଟ ଜଣେ ଅଧିନାୟକ ଭାବେ ଯେପରି ଆକ୍ରମଣାତ୍ମକ ଢଙ୍ଗିରେ ପଡିଆରେ ନିଜର ଉତ୍ସାହ ମନାଇଥାନ୍ତି, ସେହିପରି ଜଣେ ଖେଳାଳି ଭାବେ କରିବେ କି ନାହିଁ ତାହା ଆସନ୍ତାକାଲିର ମ୍ୟାଚରେ ଦେଖିବାକୁ ମିଳିବ । ଟି-୨୦ ବିଶ୍ୱକପ ପରେ କୋହଲି ଅଧିନାୟକ ପଦ ଛାଡି ଥିବା ବେଳେ ଦିନିକିଆରେ ଅଧିନାୟକତ୍ୱ ବଜାୟ ରଖିବେ ବୋଲି କହିଥିଲେ । କିନ୍ତୁ ବିସିସିଆଇ ତାଙ୍କୁ ଏହି ପଦରେ ରଖିନଥିଲା । ଭାରତୀୟ ଚୟନକର୍ତ୍ତାମାନେ ଯେତେବେଳେ ଦ.ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷଣା କରିଥିଲେ, ସେହି ସମୟରେ ହିଁ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକଭାବେ ନିଯୁକ୍ତି କରିଥିଲେ । ଏହାକୁ ନେଇ ସେହି ସମୟରେ ଖୁବ ବିବାଦ ଉପୁଜିଥିଲା । ଦ.ଆଫ୍ରିକାଠାରୁ ୧-୨ରେ ସିରିଜ ହାରିବା ପରେ ବିରାଟ ଟେଷ୍ଟ ଅଧିନାୟକ ପଦ ମଧ୍ୟ ଛାଡି ଦେଇଛନ୍ତି । ଏବେ ସେ ସବୁ ଫର୍ମାଟରୁ ଅଧିନାୟକ ପଦ ଛାଡି ଦେଇଛନ୍ତି । ଏଣିକି ସେ ଜଣେ ଖେଳାଳି ଭାବେ ଭାରତୀୟ ଦଳରେ ସାମିଲ ହେବେ । ବର୍ତ୍ତମାନ ରୋହିତ ଶର୍ମା ଆହତ ହୋଇ ଦଳରୁ ବାଦ ପଡିଥିବାରୁ କେଏଲ୍‌ ରାହୁଲଙ୍କୁ ଦିନିକିଆ ଅଧିନାୟକତ୍ୱ ମିଳିଛି । ସେହିପରି ଜସପ୍ରିତ ବୁମରାଙ୍କୁ ଉପ ଅଧିନାୟକ ପଦ ମିଳିଛି । ଏଣୁ ଆସନ୍ତାକାଲିର ମ୍ୟାଚରେ ବିରାଟ କୋହଲିଙ୍କୁ କେଏଲ ରାହୁଲଙ୍କ ଅଧିନରେ ଖେଳିବାକୁ ପଡିବ । ନୂଆ ଅଧିନାୟକ ଓ ସହଯୋଗୀ ଷ୍ଟାଫ ସହାୟତାରେ ଏହି ସିରିଜ ଜିତି ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଭାରତ ନିହାତି ଚାହିଁବ । ଏହ ସହ ଗତ ସପ୍ତାହରେ ଟେଷ୍ଟ ସିରିଜ ହାରିଥିବା ଭାରତ ମଧ୍ୟ ଏହାର ବଦଲା ନେବାକୁ ଲକ୍ଷ୍ୟ ରଖିଛି ।

hiring

ଭାରତ ଶେଷଥର ପାଇଁ ନିଜର ଶ୍ରେଷ୍ଠ ଦଳ ସହ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲା । ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଯୁବ ଖେଳାଳିମାନେ ଦିନିକିଆ ସିରିଜ ଖେଳିଥିଲେ । ରାହୁଲ ଇଂଲଣ୍ଡ ବିପକ୍ଷରେ ମଧ୍ୟମକ୍ରମରେ ବ୍ୟାଟିଂ କରୁଥିଲେ । ଏବେ ଦେଖିବାକୁ ବାକି ରହିଲା ଦ.ଆଫ୍ରିକା ବିପକ୍ଷରେ ସେ କେଉଁ ସ୍ଥାନରେ ଖେଳୁଛନ୍ତି । ରୋହିତ ଶର୍ମା ନଥିବାରୁ କେଏଲ ରାହୁଲ ଶିଖରଙ୍କ ସହ ଓପନିଂ କରିପାରନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଋତୁରାଜଙ୍କୁ ଦିନିକିଆ ପଦାର୍ପଣ କରିବାକୁ ଆହୁରି ସମୟ ଲାଗିବ । ଧାୱନଙ୍କ ପାଇଁ ଏହି ତିନି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ସେ ପୂର୍ବରୁ ଟେଷ୍ଟ ଓ ଟି-୨୦ ଦଳରୁ ବାଦ ପଡିସାରିଛନ୍ତି । କୋହଲି ତିନି ନମ୍ବରରେ ଖେଳିବା ପ୍ରାୟ ନିଶ୍ଚିତ ହୋଇଥିବା ବେଳେ ଚତୁର୍ଥ ସ୍ଥାନ ପାଇଁ ଶ୍ରେୟସ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇପାରେ । ସେହିପରି ପଞ୍ଚମ ସ୍ଥାନରେ ଋଷଭ ପନ୍ତ ଖେଳିବା ମଧ୍ୟ ନିଶ୍ଚତ । ସେ ଉଇକେଟ କିପର ଭାବେ ପ୍ରଥମ ପସନ୍ଦ ହେବେ । ୬ ନମ୍ବର ସ୍ଥାନରେ ଭେଙ୍କେଟଶ ଆୟରଙ୍କୁ ସୁଯୋଗ ମିଳିପାରେ । ସ୍ପିନ୍‌ ବିଭାଗ ୟୁଜଭେନ୍ଦ୍ର ଚହଲ ଓ ଅଶ୍ୱିନୀଙ୍କ ହାତରେ ରହିବ । ସେହିପରି ପେସ ବଲର ଭାବେ ଉପ ଅଧିନାୟକ ଜସପ୍ରିତ ବୁମରା, ଭୁବନେଶ୍ୱର କୁମାର ଖେଳିବା ନିଶ୍ଚତ । ତେବେ ତୃତୀୟ ପେସର ଭାବେ ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ପ୍ରସିଦ୍ଧ କ୍ରିଷ୍ଣାଙ୍କ ନାମ ରହିଛି । ଯଦି ମହମ୍ମଦ ସିରାଜ ଫିଟ୍‌ ହୁଅନ୍ତି ସେ ମଧ୍ୟ ଏହି ସ୍ଥାନ ପାଇଁ ବିଚାରକୁ ଆସିପାରନ୍ତି ।
ଗତ ଗସ୍ତରେ ଭାରତ ଦ.ଆଫ୍ରିକାକୁ ୫-୧ରେ ହରାଇଥିଲା । ତେଣୁ ଏହାର ବଦଲା ନେବା ପାଇଁ ତେମ୍ବା ବାବୁମାଙ୍କ ଦଳ ଚାହିଁ ରହିଛି । ଦଳ ଟେଷ୍ଟ ସିରିଜ ଜିତିଥିବାରୁ ଦଳର ମନୋବଳ ଉଚ୍ଚରେ ରହିଛି । ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଥିବା ଡିକକ ମଧ୍ୟ ଏହି ସିରିଜରେ ଭଲ ଖେଳି ନିଜକୁ ସାବିତ କରିବାକୁ ଚାହିଁବେ । ସେହିପରି ଟେଷ୍ଟ ଶୃଙ୍ଖଳା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥିବା ଯୁବ ବୋଲର ଜେନସନ ମଧ୍ୟ ଦିନିକିଆରେ ତାଙ୍କର ପ୍ରଭାବ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆସନ୍ତାକାଲି ମ୍ୟାଚ୍‌ ଭାରତୀୟ ସମୟ ୨ଟାରେ ଆରମ୍ଭ ହେବ ।

hiranchal ad1
Leave A Reply

Your email address will not be published.

two × 5 =