ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର ଉଦଯାପିତ

0 30

ସୁବର୍ଣ୍ଣପୁର,୩/୩- ସୋନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୬ ତମ ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର ଗତ ଦୁଇଦିନ ଧରି ଆୟୋଜିତ ହୋଇଯାଇଛି । ଜୁନିଅର ରେଡ଼କ୍ରସ ପରିବାର ସହ ଜୀବନସାରା ଯୋଡି ହୋଇଥିବା ପୂର୍ବତନ ଜୁନିଅର ରେଡ଼କ୍ରସ ଅଫିସର ଧରମ ସିଂ ମିଶ୍ର ପତାକା ଉତ୍ତୋଳନ କରି ଶିବିରକୁ ଉଦଘାଟନ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜୁନିଅର ମାନଙ୍କୁ ସେବା ମନୋଭାବରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଧରମ ସିଂ ମିଶ୍ର ପ୍ରଶିକ୍ଷଣକୁ ଜୀବନରେ ଉପଯୋଗ କରିବାକୁୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ସହ-ଜିଲ୍ଲା ଶିକ୍ଷା ଅଧିକାରୀ, ସୁବର୍ଣ୍ଣପୁର ଡ଼.ରାଧାକାନ୍ତ ଗଡତିଆ ଏବଂ ମଞ୍ଜୁଲତା ଭୋଇ ସେବା ଓ ବନ୍ଧୁତାଭାବକୁ ଆଗକୁ ବଢେଇବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଜୁନିଅର ରେଡ଼କ୍ରସ ଅଧିକାରୀ ରବି ଚନ୍ଦ୍ର ପଶାୟତ ବିବରଣୀ ପାଠ କରିଥିବାବେଳେ ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଗ ମଞ୍ଚପରିଚାଳନା କରିଥିଲେ । ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । କିଡ଼ସ ଇଂରାଜୀ ବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ଦାଶ ଓଡିଶୀ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ ସାଧନ କର୍ମୀ ଝସକେତନ ମେହେର ଧନ୍ୟବାଦ ଦେଇଥିବାବେଳେ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ୧୧୪ ଟି ବିଦ୍ୟାଳୟରୁ ୧୧୪ ଜଣ ପରାମର୍ଶଦାତା, ୧୩୦ ଜଣ ବାଳକ ଜୁନିଅର ଏବଂ ୧୭୯ ଜଣ ବାଳିକା ଜୁନିଅର ଯୋଗଦାନ କରିଥିଲେ । ଆଜି ଦ୍ୱିତୀୟ ଦିନ ସକାଳରୁ ପ୍ରାର୍ଥନା, ଯୋଗ, ପ୍ରାଣାୟାମ ସହ ସର୍ବଧର୍ମ ପ୍ରାର୍ଥନାର ଆୟୋଜନ ହୋଇଥିଲା । ଏ କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ପ୍ରସନ୍ନ ଶତପଥୀ ଓ ଯୋଗଗୁରୁ ହୃଷିକେଶ ଦେହେରୀ ଯୋଗ ଦାନ କରି ସୁସ୍ଥ ଜୀବନ ଶ୍ରେଷ୍ଠ ଜୀବନର ବାର୍ତ୍ତା ପ୍ରଦାନ କରିଥିଲେ । ପରେ ସହରରେ ରେଡ଼କ୍ରସର ବାର୍ତ୍ତା ପହଂଚାଇବା ପାଇଁ ଏକ ଶାନ୍ତି ଶୋଭାଯାତ୍ରା ବାହାରିଥିଲା । ଜୁନିଅର ରେଡ଼କ୍ରସର ଉପ ସଭାପତି ଗତିକୃଷ୍ଣ ମିଶ୍ର, ଜୁନିଅର ରେଡ଼କ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମାର୍ଗଦର୍ଶକ, ବାଳକ ଜୁନିଅର ଓ ବାଳିକା ଜୁନିଅର ଯୋଗଦାନ କରିଥିଲେ । ପୁନଶ୍ଚ ଜିଲ୍ଲା ସାଧନ କର୍ମୀ ମାନେ ପ୍ରାଥମିକ ଚିକିତ୍ସା, ଦୁର୍ଘଟଣା ସମୟରେ ସେବା ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଜୁନିଅର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ କମଳିନୀ ଶତପଥୀ ଯୋଗଦେଇଥିଲେ । ଏହି ଅବସରରେ ଜୁନିଅର ରେଡକ୍ରସ ମୁଖପତ୍ର “ଉତ୍ସର୍ଗ’କୁ ଉନ୍ମୋଚନ କରାଯାଇଥିଲା । ତା ସହିତ ଶିବିର ଜୁନିଅର ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ପଶାୟତ ଶିବିରର ବିବରଣୀ ପ୍ରଦାନ କରିଥିଲେ । ମେଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରକୁ ଜିଲ୍ଲାର ବିଭିନ୍ନ ଜୁନିଅର ରେଡକ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ମାନେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

one − one =