ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ଗଣଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ପୀଡିତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୨୦ମେ ମାସରେ ଫୁଲବାଣୀ ସଦର ଥାନାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାରେ କେସ ନଂ ୪୮/୨୦ ରୁଜୁ କରି ଘଟଣାର ତଦନ୍ତ କରିବା ସହ ଚାରିଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ତେବେ କୋର୍ଟରେ ବିଚାରଣ ସମୟରେ ଅଭିଯୋଗକାରିଣୀ ପୂର୍ବର ଅଭିଯୋଗ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଥିବା ବୟାନକୁ ଅସ୍ୱୀକାର କରିଥିଲେ । ଅନ୍ୟ ସାକ୍ଷୀ ମଧ୍ୟ ଭିନ୍ନଭିନ୍ନ ବୟାନ ରଖୁଥିଲେ । ଏଣୁ ଏହି ମାମଲାର ବିଚାର କରି ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଅଭିଯୁକ୍ତଙ୍କୁ ଖଲାସ କରିଥିଲେ । ଅପରପକ୍ଷରେ ଅଭିଯୋଗକାରିଣୀଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୧୯୩ ଅନୁଯାୟୀ ମାମଲା ରୁଜୁ ପାଇଁ ଆଦେଶ ଦେଇଛନ୍ତି । ମାମଲାର ଶେଷ ନହେବା ପର୍ଯ୍ୟନ୍ତ ପିଡିତାଙ୍କୁ କ୍ଷତିପୂରଣ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ସ୍ୱତନ୍ତ୍ର ପିପି ବିଜୟ କୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି ।