ସମ୍ବଲପୁର: ପଶ୍ଚିମାଞ୍ଚଳର ପରିଚୟ ପାଇଁ ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ନେଇ ଆଜୀବନ ଚେଷ୍ଟା ଚଳାଇଥିବା ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିବସ ଅଗଷ୍ଟ ୧ ତାରିଖ ପ୍ରତିବର୍ଷ ସମ୍ବଲପୁରୀ ଦିନ ରୂପେ ପାଳିତ ହୁଏ । ଆଜି ଏହାର ଆବାହକ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏବର୍ଷର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି । ମଞ୍ଚର ପରାମର୍ଶଦାତା ପ୍ରମୋଦ କୁମାର ରଥ ପ୍ରାରମ୍ଭିକ ସୂଚନା ଦେଇ କହିଲେ ଦଶବର୍ଷ ପୂର୍ବେ ଏଥିପାଇଁ ସର୍ବ ପ୍ରଥମ ସଂକଳ୍ପ ନିଆଯାଇଥିଲା ଓ ୨୦୧୨ରେ ହିଁ ତତ୍କାଳୀନ ସମ୍ବଲପୁର ମ୍ୟୁନିସିପାଲିଟି ସଭାଗୃହରେ ଏହା ଆରମ୍ଭ ହୋଇଥିଲା । ଇତିମଧ୍ୟରେ ଅନ୍ୟୁନ ଏହା ସମଗ୍ର ପଶ୍ଚିମଓଡ଼ିଶା ସହିତ ରାଜ୍ୟ ଓ ଦେଶ ବିଦେଶରେ ପ୍ରତିବର୍ଷ ପାଳିତ ହୋଇଆସୁଛି । ଏହି ଅଞ୍ଚଳର ଏକ ପରିଚୟ ସ୍ୱରୂପ ନୂଆଖାଇ ପରି ଏହାର ପାଳନ ଘରେ ଘରେ କରାଯାଉ, ଏହି ଲକ୍ଷ୍ୟସହ ବର୍ତ୍ତମାନ”ପଏମ’ ଅଗ୍ରସର ହେଉଛି । ଏହାର ପୁରୋଧା ଓ ମୁଖ୍ୟ ଆୟୋଜକ ଭବାନୀ ଶଙ୍କର ଭୋଇ କହିଛନ୍ତି ଯେ ସମ୍ବଲପୁରୀ ଦିନ ପାଳନର ଏକ ଲକ୍ଷ୍ୟ ରହିଛି ଯେ ସମ୍ବଲପୁରୀ କଳାକାରଙ୍କୁ ସମସ୍ତ ସ୍ତରରେ ପ୍ରୋତ୍ସାହନ ଦିଆଯିବା । ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୀବିତ ଥିବା ସମୟରୁ ହିଁ ତାଙ୍କର ଜନ୍ମଦିନ ପାଳନ ହୋଇଆସୁଛି ଓ ଏହି ବିଡା ତାଙ୍କର ପରମ ଶିଷ୍ୟମାନେ ଉଠାଉଥିଲେ ଓ ବର୍ତ୍ତମାନ ମଧ୍ୟ ତାଙ୍କ ପ୍ରତି ଅନୁରାଗ ରଖିଥିବା ବ୍ୟକ୍ତିମାନେ ହିଁ ଏଥିରେ ସାମିଲ ରହିଛନ୍ତି । ଏହା ବ୍ୟତୀତ ଏହି ମଞ୍ଚ ସମଗ୍ର ପଶ୍ଚିମାଞ୍ଚଳର ଟିକିନିଖି ସମସ୍ୟା ପ୍ରତି ଦୃଷ୍ଟି ଦେବା ସହିତ ସମାଧାନ ଦିଗରେ କାର୍ଯ୍ୟ କରିଆସୁଛି । ପ୍ରତିବର୍ଷ ପାଳିତ ପରମ୍ପରା ଅନୁସାରେ ଏବର୍ଷ ସ୍ୱର୍ଗତ ଗୁରୁ ଭଗବାନ ସାହୁଙ୍କ ପଟ୍ଟଶିଷ୍ୟ ଭାଗବତିଆ ପ୍ରଧାନଙ୍କୁ ଗୁରୁ ସତ୍ୟନାରାୟଣ ବହିଦାର ଜାତୀୟ ସମ୍ମାନରେ ସମ୍ମାନୀତ କରାଯିବ । ଏହା ସହିତ ତାଙ୍କର ସହଯୋଗୀ ଗଦାଧର ବାଳିକାଙ୍କୁ ମଧ୍ୟ ମଞ୍ଚରେ ସମ୍ବର୍ଦ୍ଧନା ଦିଆଯିବ । ଇତିମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଆଉ ଅଧିକ ଆକର୍ଷଣୀୟ କରିବା ପାଇଁ ସମଭାବୀ ୪୦ଟି ସଂଗଠନରୁ ୮୭ ଜଣ ଆସି ପ୍ରାୟ ବିଭିନ୍ନ ପ୍ରସ୍ତାବମାନ ଦେଇଛନ୍ତି, ଯାହା ଉପରେ ମନନ କରାଯାଉଛି । ଆମର ଭାଷା ଓ ସଂସ୍କୃତି ପ୍ରତି ଅନୁରାଗ ରଖୁଥିବା ଲୋକେ ଆମ ରାଜ୍ୟ ସହ ଦେଶବିଦେଶରେ ଏହି ଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରି ଆସୁଛନ୍ତି ଓ ଏଥର ମଧ୍ୟ କରିବାକୁ ଆଗ୍ରହୀ ରହିଛନ୍ତି । ଏହି ଅବସରରେ ମଞ୍ଚାସୀନ ରହି ମାନସ ରଞ୍ଜନ ବକ୍ସି, ଗୁଣରଞ୍ଜନ ସାଲିମା ଓ ଲଲିତ ବେବର୍ତ୍ତା ଆଦି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।