ଫୁଲବାଣୀ: କନ୍ଧମାଳ ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୋଲିସର କାର୍ଯ୍ୟକାରିତା ଏବଂ ଆବଶ୍ୟକ ସ୍ଥଳେ ସାଧାରଣ ବ୍ୟକ୍ତିଙ୍କ ସମେତ ଛାତ୍ରଛାତ୍ରୀମାନେ ମଧ୍ୟ ସିଧାସଳଖ ଆସି ଫୁଲବାଣୀ ଆଦର୍ଶ ଥାନା ରେ ସେମାନଙ୍କର ଅଭିଯୋଗ କରିପାରିବା ନେଇ ଏକ ଏକ୍ସପୋଜର ଭିଜିଟ୍ ଜରିଆରେ ଜ୍ଞାନ ଆହରଣ କରିବା ପାଇଁ କାର୍ଯ୍ୟକ୍ରମ ଫୁଲବାଣୀ ଆଦର୍ଶ ଥାନା ରେ ଅନୁଷ୍ଠିତ ହୋଇଯାଇଛି। ଆଜି ଫୁଲବାଣୀ ସତ୍ୟସାଇ ଉଚ୍ଚବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷକ ମାନଙ୍କ ତତ୍ୱାବଧାନରେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଫୁଲବାଣୀ ଏସଡିପିଓ ସୁଭ୍ରଜିତ ବିଶ୍ଵାଳ ଓ ଆଦର୍ଶ ଥାନା ଅଧିକାରୀ ସ୍ବରୁପ କିଶାନ୍ ଙ୍କ ଦେଖରେଖରେ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ୍ ଦେଇ ସ୍ବାଗତ କରାଯାଇଥିଲା। ପରେ ସେମାନେ ସମଗ୍ର ଥାନା ବୁଲି ଦେଖିବା ସହିତ ପୋଲିସ୍ ର କାର୍ଯ୍ୟକଳାପ ବାବଦରେ ଓ ବିଭିନ୍ନ ଅପରାଧ ଓ ସେମାନଙ୍କ ବିରୋଧରେ ପୋଲିସ ନେଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ, ଥାନାରେ ଥିବା ମାଲଖାନା, ପୋଲିସ୍ ର କାର୍ଯ୍ୟ ଶୈଳୀ ଆଦି ଭଳି ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ସେମାନଙ୍କୁ ଏହି ସବୁ ବାବଦରେ ଏସଡିପିଓ ଏବଂ ଥାନା ଅଧିକାରୀ ପ୍ରାଞ୍ଜଳତାର ସହିତ ଖୋଲାଖୋଲି ଆଲୋଚନା କରିଥିଲେ ଏପରିକି ବର୍ତ୍ତମାନ ସମାଜରେ ଛାତ୍ରୀ ମାନେ ସମ୍ମୁଖୀନ ହେଉଥିବା ଯୌନ ଶୋଷଣ ଓ ଏହାର ଆଇନ ବାବଦରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହିଭଳି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀ ମାନେ ପୋଲିସ, ଥାନା ଓ ଏହି ବାବଦରେ ଜାଣିବାକୁ ପାଇବା ସହ ଆବଶ୍ୟକ ସ୍ଥଳେ ସେମାନେ ଯେ କୌଣସି ସମସ୍ୟାରେ ଭୟ ନ କରି ନିଜେ ପୋଲିସ୍ ନିକଟରେ ପହଞ୍ଚି ପାରିବେ ବୋଲି କହିଛନ୍ତି ଏସଡିପିଓ। ଆଗକୁ ଏହି କାର୍ଯ୍ୟକ୍ରମ ଜରିଆରେ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଏକ୍ସପୋଜର ଭିଜିଟ୍ ଜାରି ରହିବ ବୋଲି କହିଛନ୍ତି।
