ଘୁ. ଉଦୟଗିରି ଏନଏସିର ଉପାଧ୍ୟକ୍ଷ ହଲେ ସନ୍ତୋଷ ବାଘ

0 78

ଘୁ. ଉଦୟଗିରି : ଶେଷ ହୋଇଛି ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଆସନ ନିମନ୍ତେ ନିର୍ବାଚନ । ସମସ୍ତ କଳ୍ପନାର ଅନ୍ତ ଘଟିଛି । ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ବାଚିତ ୦୧ ନମ୍ବର ୱାର୍ଡ କାଉନସିଲର ସନ୍ତୋଷ କୁମାର ବାଘ ଉପାଧ୍ୟକ୍ଷ ଆସନ ନିମନ୍ତେ ଦଳୀୟ ଟିକେଟ ପାଇଥିଲେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ସକାଳ ୧୦ ଘଣ୍ଟିକା ଠାରୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସମୟ ଥିଲା । ଏହି ସମୟ ସୀମା ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସନ୍ତୋଷ କୁମାର ବାଘ, ଭାରତୀୟ ଜନତା ପାର୍ଟି ପକ୍ଷରୁ କୁନ୍ତିମା ମଲ୍ଲିକ ଓ ବିଜେଡି ନବନିର୍ବାଚିତ ୬ ନମ୍ବର ୱାର୍ଡ କାଉନସିଲର ଲେକଚରର ବୁଲିଅନ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ । ଯାଞ୍ଚ୍‌ ହେବା ପରେ ସମସ୍ତଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ବେଳେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନଥିଲେ । ଶେଷରେ ଅପରାହ୍ନ ୧.୩୦ ମିନିଟ୍‌ ସମୟରେ ସମସ୍ତ କାଉନସିଲରମାନଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମ ରାଉଣ୍ଡରେ ସମସ୍ତ ବିଜେଡି କାଉନସିଲର ନିଜ ଭୋଟ ଦେବା ପରେ ଦଳର ରାଜ୍ୟ ସଭାପତିଙ୍କ ଅନୁମୋଦିତ ସଦସ୍ୟଙ୍କୁ ବାଲେଟ୍‌ ପେପର୍‌ ଦେଖେଇବା ପରେ ଭୋଟ ବାକ୍ସରେ ପକାଇଥିଲେ । ସମାନ ଭାବରେ ବିଜେପି ଦ ର କାଉନସିଲର ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପରେ ଦଳ ଅନୁମୋଦିତ ସଦସ୍ୟଙ୍କୁ ବାଲେଟ୍‌ ପେପର ଦେଖେଇ ଭୋଟ ଦେଇଥିବା ବେଳେ କଂଗ୍ରେସ ଓ ସ୍ୱାଧୀନ ଦଳର ଜଣେ ଲେଖାଏଁ ବିଜୟୀ କାଉନସିଲର ଭୋଟ ଦେଇ ଥିଲେ । ୧୩ ଜଣ କାଉନସିଲରଙ୍କ ଭୋଟ ଗ୍ରହଣ ପରେ ନିର୍ବାଚନ ଅଧିକାରୀ ସମସ୍ତଙ୍କ ଉପସ୍ଥିତିରେ ଭୋଟ ଗଣନା କରିଥିଲେ । ପ୍ରଥମ ରାଉଣ୍ଡରେ ବିଜୁଜନତା ଦଳର ପ୍ରାର୍ଥୀ ସନ୍ତୋଷ ବାଘ ୭ ଖଣ୍ଡ ଭୋଟ ପାଇଥିଲେ, ବିଜେପି ପ୍ରାର୍ଥୀନୀ ଶ୍ରୀମତୀ କୁନ୍ତିମା ମଲ୍ଲିକ ୩ ଖଣ୍ଡ ଓ ଲେକଚରର ବୁଲିଅନ ୩ ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ୨ ଜଣ ପ୍ରାର୍ଥୀଙ୍କ ସମାନ ସଂଖ୍ୟକ ଭୋଟ ଫଳାଫଳ ରହିବା ପରେ ଧର୍ମ ଗୁଳା ଦ୍ୱାରା ଜଣକୁ ପରବର୍ତ୍ତୀ ରାଉଣ୍ଡ ନିର୍ବାଚନ ନିମନ୍ତେ ଚୟନ କରାଗଲା । ଉକ୍ତ ଧର୍ମଗୁଳା ପ୍ରକ୍ରିୟା ରେ ୨ ଜଣଙ୍କ ନାମ କୁନ୍ତିମା ମଲ୍ଲିକ ଓ ଲେକଚରର ବୁଲିଅନ ରହିଥିବା ବେଳେ କୁନ୍ତିମା ମଲ୍ଲିକ ବିଜୟୀ ହୋଇଥିଲେ ପରବର୍ତ୍ତୀ ନିର୍ବାଚନ ରାଉଣ୍ଡ ନିମନ୍ତେ । ପୁଣି ଥରେ ଦ୍ୱିତୀୟ ରାଉଣ୍ଡ ନିର୍ବାଚନ ହେଲା ବିଜେପି ପ୍ରାର୍ଥୀନୀ ଶ୍ରୀମତୀ କୁନ୍ତିମା ମଲ୍ଲିକ ୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସନ୍ତୋଷ କୁମାର ବାଘ ୧୦ ଖଣ୍ଡ ଭୋଟ ପାଇବା ପରେ ନିର୍ବାଚନ ଅଧିକାରୀ ତାଙ୍କୁ ବିଜୟୀ ଘୋଷଣା କରିଥିଲେ । ସମସ୍ତ ଦଳୀୟ କର୍ମୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇବା ସହ ଖୁସି ବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

three × two =