ଗୋଟିଏ ସ୍ଥାନରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ଦେଖୁଛନ୍ତି ଶ୍ରଦ୍ଧାଳୁ

0 52

ପୁରୀ : ଗୋଟିଏ ସ୍ଥାନରେ ଏକାସାଙ୍ଗରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ଦେଖି ପାରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଳଭରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ଦେଖି ଆତ୍ମ ବିଭୋର ହେଉଛନ୍ତି ଭକ୍ତ । ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତ ୧୭ ତାରିଖରେ ଲୋକାର୍ପିତ ହୋଇଯାଇଥିବା ବେଳେ ଏହି ଅବସରରେ ଭକ୍ତଙ୍କ ଲାଗି ହୋଇଥିବା ଏହି ବେଶ ଏବେ ବି ଭକ୍ତଙ୍କ ମନ ଜିଣୁଛି । ଯେଉଁ ଦୁର୍ଲଭ ବେଶ ସବୁକୁ ଭକ୍ତ ଶ୍ରଦ୍ଧାଳୁ ବିଭିନ୍ନ ସମୟରେ ଦେଖିପାରନ୍ତି ନାହିଁ ସେସବୁକୁ ଏକାଠି ଦେଖିବାର ମିଳିଛି ଅପୂର୍ବ ସୁଯୋଗ । ପ୍ରାୟ ଏକମାସ ଧରି ଏହି ଦୁର୍ଲଭ ବେଶ ଗୁଡ଼ିକ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରସ୍ତୁତ କରୁଥିବା ଶିଳ୍ପୀ ବସନ୍ତ ରଣା ଏହି ବେଶ ତିଆରି କରିଛନ୍ତି ।
ଶ୍ରୀ ଜଗନ୍ନାଥ ବଲ୍ଳଭ ମଠ ପରିସରରେ ଶୋଭା ପାଉଛି ମହାପ୍ରଭୁଙ୍କ ବିଭିନ୍ନ ବେଶ ଶୃଙ୍ଗାର । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବୈଶାଖ ମାସରୁ ଚୈତ୍ର ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୨୫ପ୍ରକାର ବେଶକୁ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଦର୍ଶନ କରିବାର ସୁଯୋଗ ପାଉଛନ୍ତି ଭକ୍ତ ଶ୍ରଦ୍ଧାଳୁ । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭବ୍ୟ ଉତ୍ସବ ଅବସରରେ ଏହି ବେଶକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଉତ୍ସବକୁ ଆହୁରି ସୁନ୍ଦର ସରସ କରିବା ଲାଗି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଭକ୍ତଙ୍କୁ ନୂତନ ଅନୁଭୂତି ଦେବାଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ନିଆରା ଆୟୋଜନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନଦିନ ନୀତି କାନ୍ତି ସହ ପର୍ବପର୍ବାଣିରେ ଅନୁଷ୍ଠିତ ହେଉଥିବା ବେଶକୁ ଚର୍ମ ଚକ୍ଷୁରେ ଦର୍ଶନ କରୁଛନ୍ତି ଭକ୍ତ । ୨୫ପ୍ରକାର ବେଶଗୁଡିକ ମଧ୍ୟରେ ରହିଛି ଅବକାଶ ବେଶ (ତଡପ ଉତ୍ତରି ବେଶ), ସାଧା ବେଶ, ବଡସିଂହାର ବେଶ, ଗଜାନନ ବା ହାତୀବେଶ, ରାଜାଧିରାଜ ବେଶ (ସୁନାବେଶ), ବନଭୋଜୀ ବେଶ, କାଳୀୟଦଳନ ବେଶ, ପ୍ରଳମ୍ବାସୁର ବଧ ବେଶ, କୃଷ୍ଣ ବଳରାମ ବେଶ, ବାମନ ବେଶ, ରାଧାଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ (ଠିଆକିଆ), ବାଙ୍କଚୂଡ ବେଶ, ତ୍ରିବିକ୍ରମ ବେଶ (ଡାଳିକିଆ ବେଶ), ଲକ୍ଷ୍ମୀନୃସିଂହ ବେଶ (ଆଡକିଆ ବେଶ), ନାଗାର୍ଜୁନ ବେଶ, ଶ୍ରାଦ୍ଧ ବେଶ, ଘୋଡଲାଗି ବେଶ, ଜାମାଲାଗି ବେଶ, ନବାଙ୍କ ବେଶ, ପଦ୍ମମୁଖ ବେଶ, ଗଜଉଦ୍ଧାରଣ ବେଶ, ଚାଚେଡି ବେଶ, ରଘୁନାଥ ବେଶ (ରାମାଭିଷେକ) ବେଶ ଓ ଚନ୍ଦନଲାଗି ବେଶ ଆଦି ଭକ୍ତ ମାନେ ଦର୍ଶନ କରୁଛନ୍ତି ।
ଏଥିପାଇଁ ୩ ଫୁଟ ଉଚ୍ଚତାର ଜଗନ୍ନାଥ ଓ ବଳରାମଙ୍କ ମୂର୍ତ୍ତି ତିଆରି କରାଯାଇଥିବାବେଳେ ୨.୫ ଫୁଟ ଉଚର ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ରହିଛି । ପ୍ରାୟ ୪ ଫୁଟର ସିଂହାସନ ଉପରେ ଠାକୁରଙ୍କର ଏହି ବେଶ ସବୁ ରହିଛି । ମନ୍ଦିରରେ ଯେଉଁଭଳି ଠାକୁରଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଏ ସେହିଭଳି ବେଶ କରାଯାଇଛି । ଜରି, ଜମ୍ବୁରା, ସୋଲ, ଅଠା, ବିଭିନ୍ନ ପ୍ରକାର ମାଳି, କାର୍ଡବୋଡ ଆଦିରେ ଅଳଙ୍କାର ଓ ସାଜସଜ୍ଜା ସବୁ ରେ ତିଆରି କରିଛନ୍ତି କୁଶଳୀ କାରିଗର । ଏଥିସହ ତିନି ରଥର ଚକ ଏବଂ ମହାପ୍ରଭୁଙ୍କ ସେବାରେ ବ୍ୟବହୃତ ହେଉଥିବା ପୁଷ୍ପ, ମାଟି ପାତ୍ର, ଏବଂ ଭୋଗ ଥାଳି ସହ ବିଭିନ୍ନ ସାମଗ୍ରୀକୁ ଦେଖିବାରେ ସୁଯୋଗ ପାଇଥିବା ଭକ୍ତ ମାନେ ଖୁସି ବ୍ୟକ୍ତ କରିଛନ୍ତି ।
ଭକ୍ତମାନେ ବିଭିନ୍ନ ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାର ସୁଯୋଗ ପାଇନଥିବା ବେଳେ ଏହି ପଦର୍ଶନୀ ଦ୍ୱାରା ସମସ୍ତ ବେଶକୁ ଗୋଟିଏ ସ୍ଥାନରେ ଦେଖି ଆତ୍ମବିଭୋର ହୋଇଛନ୍ତି ଭକ୍ତ ଶ୍ରଦ୍ଧାଳୁ ।

hiranchal ad1
Leave A Reply

Your email address will not be published.

sixteen + 17 =