ଆଜି ମହାପ୍ରଭୁଙ୍କ ସୁନା ବେଶ

0 102

ପୁରୀ : ଆଜି ମହାପ୍ରଭୁଙ୍କ ସୁନା ବେଶ୍‌ । ଅପରାହ୍ନ ୫ଟାରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ଏହି ସମୟ ନିର୍ଦ୍ଧାରଣ କରଯାଇଛି । ତେବେ ରଥ ଉପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କ ସମସ୍ତ ନୀତି ଅନୁଷ୍ଠିତ ହେଉଛି । ରଥ ଉପରେ ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କୁ ଶୁଖିଲି ଭୋଗ ତଥା ଖଇ କୋରା ସହିତ ବିଭିନ୍ନ ଭୋଗ ଅର୍ପଣ ହେଉଚି । ତେବେ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ସହ ମହାବାହୁଙ୍କ ସାନିଧ୍ୟ ପାଇବା ପାଇଁ ଭକ୍ତ ଆଗମନ ଜାରି ରହିଛ଼ି । ରଥ ସମ୍ମୁଖରେ ଭକ୍ତ ମାନେ ଦୀପ ଜାଳି ନିଜର ମନ କଥା ମହାପ୍ରଭୁଙ୍କୁ ଜଣାଇଛନ୍ତି । ସାରା ବିଶ୍ୱର କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କୁ ଭକ୍ତମାନେ ପ୍ରାର୍ଥନା କରୁଛନ୍ତି । ମହାପ୍ରଭୁଙ୍କ ଚିତ୍ତାକର୍ଷକ ସୁନା ବେଶ ଦର୍ଶନ ପାଇଁ ସକାଳୁ ଭକ୍ତ ମାନେ ଆସି ରଥ ନିକଟରେ ପହଂଚି ସାରିଲେଣି । ତେବେ ଆଜିର ନିତି ନିର୍ଘଣ୍ଟ ଅନୁଯାୟୀ ସଠିକ୍‌ ଭାବେ ଚାଲିଚି ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି । ତେବେ ଅପରାହ୍ନ ୨ ଟା ରୁ ୩ ଟା ମଧ୍ୟରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ହେବ । ପରେ ମଇଲମ, ଶାଢୀ ଖଣ୍ଡୁଷ ଲାଗି, ସଂଧ୍ୟା ଆଳତୀ, ଏକାଦଶୀ ସର୍ବାଙ୍ଗ ନିତି ଶେଷ ପରେ ଅପରାହ୍ନ ୫ ରୁ ସୁନା ବେଶ୍‌ ଆରମ୍ଭ ହେବ । ଏହା ପରେ ଅନ୍ୟାନ୍ୟ ନିତି କାନ୍ତି ବଢିବା ପରେ ରାତି ୧୨ ଟା ରେ ବଡ ସିଂହାର ବେଶ, ପରେ ବଡ ସିଂହାର ଭୋଗ ଓ ରାତି ଗୋଟାଏରେ ରାତ୍ର ପହୁଡ଼ ନିତି ଅନୁଷ୍ଠିତ ହେବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ନୀତି କାନ୍ତି ପୁସ୍ତିକାରେ ସୂଚନା ଦିଆଯାଇଛି । ତେବେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ବିଳମ୍ୱିତ ରାତି ଯାଏ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ । ସେପଟେ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀ ସହରରେ ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥା କୁ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌ କାର୍ଯ୍ୟକାରୀ କରାଯାଇଛି । ଭକ୍ତ ମାନେ ବଡ ଦାଣ୍ଡର ମାର୍କେଟ ଛକରୁ ବ୍ୟାରିକଡରେ ଆସି ଶ୍ରୀ ମନ୍ଦିର ସିଂହଦ୍ୱାରରେ ଥିବା ତିନି ରଥ ଆଗରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ।

hiranchal ad1
Leave A Reply

Your email address will not be published.

sixteen − four =