କୋମନା: ନୂଆପଡା ଜିଲ୍ଲା କୋମନା ଥାନା ଦେଓଧରା ଘୋଡାଘାଟ ନଦୀ ପାଖରେ ଗତକାଲି ପଡ଼ି ରହିଥିଲା ଜଣେ ମହିଳାଙ୍କ ମୃତଦେହ । ଏହାକୁ ନେଇ ପୋଲିସ ଅଧିକ ତଦନ୍ତ କରିବାରୁ ମୃତ ମହିଳାଙ୍କ ପରିଚୟ ମିଳିଛି । ମୃତକ ମହିଳା କୋମନା ଥାନା ଛତା ଗାଁର ସୁନେ ତାଣ୍ଡି ବୋଲି ଜଣାପଡିଥିଲା । ତାଙ୍କ ସ୍ୱାମୀ ଜଗବନ୍ଧୁ ତାଣ୍ଡି ଘରୁ ଡାକି ନେଇ ହତ୍ୟା କରିଥିବା ପରିବାର ତରଫରୁ ସନ୍ଦେହ କରି କୋମନା ଥାନାରେ ଏକ ଅଭିଯୋଗ କରିଥିଲେ ଓ କୋମନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଅଧିକ ତଦନ୍ତ କରି ଥିବା ବେଳେ ଆଜି ସିନାପାଲି ବ୍ଲକ ଶରଧାପୁର ଗାଁରୁ ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରିଥିବାରୁ ସ୍ତ୍ରୀଙ୍କୁ ମାରି ଥିବା ସ୍ୱୀକାର କରିଥିଲା । ପରେ ପୋଲିସ ଟିମ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ଘଟଣାର ସିନ କ୍ରିୟେଟ କରିଥିଲେ ।ଏହି ଘଟଣାକୁ ନେଇ ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ, ନୂଆପଡ଼ା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, କୋମନା ଆଇଆଇସି ଜ୍ୟୋତି ରଞ୍ଜନ ଗଉଡ ପ୍ରମୁଖ ପୋଲିସଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କୁ ନେଇ ସିନ କ୍ରିୟେଟ୍ କରିଥିଲେ । ପୋଲିସ ପକ୍ଷରୁ ଏହା ପରକିଆ ପ୍ରୀତି ଯୋଗୁ ଏହି ଘଟଣା ଘଟିଥାଇ ପାରେ ବୋଲି କୁହାଯାଇଛି । ଏହି ଘଟଣାକୁ ନେଇ ଆଜି ନୂଆପଡା ଏସପି ରାଘବେନ୍ଦ୍ର ରେଡି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ନୂଆପଡା ପୋଲିସ ଓ କୋମନା ପୋଲିସ ଟିମକୁ ବହୁତ ବଡ଼ ସଫଳତା ମିଳିଛି ବୋଲି ସେ କହିଥିଲେ ।