ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୪୧ କେଜି ୧୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ବାଇକକୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ଦୁଇ ଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଗଞ୍ଜେଇ ଧରି ଯାଉଥିବା ବାଇକ ନଂ.ସିଜି-୨୨-ଏଲ- ୪୬୪୮ ଟି ଦ୍ରୁତ ଗତିରେ ଯାଉଥିବା ବେଳେ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଞ୍ଚାୟତ କିଲାରଘାଟ ନିକଟରେ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ସେଥିରୁ ୪୧ କେଜି ୧୦୦ ଗ୍ରାମ ବେଆଇନ୍ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ । ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ଗିରଫ ଦୁଇ ଜଣ ହେଲେ ଛତିଶଗଡର ଦେଓଭୋଗ ଅଞ୍ଚଳର ସମୀର ସୋନୀ ଓ ଶ୍ୟାମଲାଲ ସୋନୀ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏନେଇ ବାଲିଗୁଡ଼ା ଥାନା କେଶ୍ ନଂ.୧୦୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି ।