ସୁବର୍ଣ୍ଣପୁର: ଗତକାଲି ଜିଲ୍ଲାର ବିନିକା ରେଞ୍ଜରେ ବିଦ୍ୟୁତ ତାର ଆଘାତରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ବାପ ଓ ପୁଅ ଗିରଫ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ସୋମବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅନ୍ତର୍ଗତ ମହଦା ଜଙ୍ଗଲରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥିଲା । ବାରହା ପାଇଁ ଲଗାଯାଇଥିବା ବିଦ୍ୟୁତ ତାରରେ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଖବର ପାଇ ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ଆଜି ବାପ ପୁଅକୁ ଗିରଫ କରିଥିବା କଣାପଡିଛି । ମହଦା ଗ୍ରାମର ବୀରେନ୍ଦ୍ର ଶର୍ମା (୬୦) ଓ ତାଙ୍କ ପୁଅ ଆଲାଉଦ୍ଦିନ ଶର୍ମା (୩୦) ହାତୀ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି । ବିନିକା ରେଞ୍ଜ କେସ ନମ୍ବର ୦୧/୨୩-୨୪ ରେ ଏକ ମାମଲା ରୁଜୁ ହୋଇ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ ।