ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ : ଜିଲ୍ଲାପାଳ

0 116

ନବରଙ୍ଗପୁର : ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଆଉ ପାଦେ ଆଗକୁ ଗଲା ଜିଲ୍ଲା ପ୍ରଶାସନ । ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀମାନଙ୍କୁ ବିଦ୍ୟାଳୟକୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବାର ଅଭିଯାନ ଆରମ୍ଭ କରାଯାଇଛି । ଏହି ମର୍ମରେ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡଃ କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୫୦ଜଣ ପ୍ରଧାନ ଶିକ୍ଷ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡଃ ମିଶ୍ର କହିଲେ ଯେ ଜିଲ୍ଲାରେ ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବାଲ୍ୟବିବାହ ସମସ୍ୟାଟି ସମାଜରେ ଅତିପୁରାତନ । ଶିକ୍ଷା ଓ ସଚେତନ ଅଭାବରୁ ପ୍ରଥା ପରମ୍ପରା ନାମରେ କିଶୋରୀ ବାଳିକାମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଉଛନ୍ତି । ଏଥି ପାଇଁ ଶିକ୍ଷକ ସମାଜକୁ ଏକ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟି କରନ୍ତୁ । ଯେଉଁ ଛାତ୍ର ଛାତ୍ରୀମାନେ ଆଗାମୀ ଦିନରେ ଏକ ସୁସ୍ଥ ସମାଜ ଗଠନର ବାହକ ସାଜି ସମାଜରୁ ବାଲ୍ୟବିବାହ ପରି କୁସଂସ୍କାରକୁ ଦୂରେଇବାରେ ସହାୟକ ହୋଇପାରିବେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ବୈଠକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ଏଥି ସହିତ ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀ ମାନଙ୍କୁ ବିଦ୍ୟାଳୟକୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବାର ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାଗ ପ୍ରତ୍ୟେକ ଶନିବାର ଦିନ ସମସ୍ତ ବିଦ୍ୟାଳୟରେ ବାଲ୍ୟବିବାହ ଓ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦାନ କରିବା ସହିତ, ପ୍ରତି ମାସରେ ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଦାନ ପାଇଁ ଗଠନ କରାଯାଇ ଥିବା କାଉନସିଲର ବୈଠକ କରାଇ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଗୁରୁତ୍ୱ ତଥା ବାଲ୍ୟବିବାହର କୁପରିଣାମ ଉପରେ ସଚେତନ କରାଇବା ପାଇଁ ସମସ୍ତ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ପରେ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିରଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟର କାଉନସିଲର ଆଲୋକ ମହାପାତ୍ର , ଓରମାସର କାଉନସିଲର ଅମ୍ବିକା ରଥ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଲିଗାଲ ପ୍ରୋବେଶନ ଅଫିସର କିଶୋର ମର୍ଥା, ବ୍ଲକ ସଂଯୋଜକ ଉତ୍ତମ କୁମାର ବିଶ୍ୱାଳ, ସ୍ୱେଚ୍ଛାସେବୀ ଜଗନ କୁମାର ପାତ୍ର ,ମନୋରଞ୍ଜନ ବିଶୋଇ ଓ ପ୍ରଧାନ ଶିକ୍ଷକମାନେ ଆଲୋଚନାରେ ଭାଗନେଇ ବାଲ୍ୟବବାହକୁ ରୋକିବା ଓ ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀମାନଙ୍କୁ ବିଦ୍ୟାଳୟକୁ ଫେରାଇବା ଉପରେ ନିଜର ମତାମତ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

20 − 16 =