ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଆଜି ଓଡିଶାର ପ୍ରଖ୍ୟାତ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ ଡଃ ସୁନୀଲ କୁମାର କୋଟାଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ଗ୍ରନ୍ଥାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜୀବନ ଚର୍ଯ୍ୟ ଉପରେ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନୀଲ ନରୱଣେ ସଭାପତିତ୍ୱ କରି ସମସ୍ତଙ୍କୁ ଉପଯୁକ୍ତ ସନ୍ତୁଳିତ ଆହାର ନେବା ସହିତ ପ୍ରତିଦିନ ବ୍ୟାୟାମ, ଯୋଗ,ପ୍ରାଣାୟାମ କରିବା ପାଇଁ ଉପଦେଶ ଦେଇଥିଲେ । ଡଃ କୋଟା ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଲାଇଫ ଷ୍ଟାଇଲ ଡିଜିଜ ଯଥା -ବ୍ଲଡ୍ ପ୍ରେସର, ମଧୁମେହ ଏବଂ ଥ୍ୟାରୋଏଡ଼ ଇତ୍ୟାଦି ରୋଗରୁ କିଭଳି ରକ୍ଷା ପାଇହେବ ତା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ ଓ ଡାକ୍ତରଙ୍କ ସହ ଆସିଥିବା ସହକର୍ମୀମାନେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବ୍ଲଡ୍ ପ୍ରେସର୍, ସୁଗାର ଓ ଥ୍ୟାରୋଏଡ଼ ଟେଷ୍ଟ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ , ପିଡି ଡିଆରଡିଏ ଡୋଲାମଣୀ ପଟେଲ୍, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ଜିଲ୍ଲା ଗ୍ରନ୍ଥାଳୟରେ ପାଠକପାଠିକା ମାନଙ୍କୁ ନେଇ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଯୁବବର୍ଗ କିଭଳି ଭାବେ ଉଭୟ ଶାରୀରିକ ଓ ମାନସିକ ଚାପକୁ ପରାହତ କରି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହୋଇପାରିବେ ସେ ବିଷୟରେ ଡଃ କୋଟା ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଡେପୁଟି କଲେକ୍ଟର ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଗ୍ରନ୍ଥାଳୟର ଲାଇବ୍ରେରୀଆନ ବିଦ୍ୟାପତି ପଣ୍ଡା, କର୍ମଚାରୀ ବିନୋଦ କିଶୋର ଦାନୀ, ସୁଦେ ସୁନା ପ୍ରମୁଖ ସହଯୋଗ କରିଥିଲେ । ଯୁବ ପାଠକ ମାନଙ୍କ ପାଇଁ ଏହି ପରାମର୍ଶ ବୈଠକ ବହୁତ ଉପଯୋଗୀ ହୋଇଥିଲା ।