ଘୁ. ଉଦୟଗିରି : ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଆର୍. ପଡ଼ିକିଆରେ ଅନ୍ତରଙ୍ଗ ଯୁବକ ସଂଘର ସ୍ୱଚ୍ଛତାକୁ ନେଇ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଯୁବକ ସଂଘ ଦ୍ୱାରା ଗାଁ ପରିମଳ ସଫା କରିବା ସହିତ ମଶାଣୀର ଚତୁର୍ପାଶ୍ୱରେ ସଫା ସୁତୁରା କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଗାଁରେ ଅନେକ ଦିନ ଧରି ପରିବେଶ ତଥା ପରିମଳ ଦୂଷିତ ହୋଇଥିବା ଦେଖି ଅନ୍ତରଙ୍ଗ ଯୁବକ ସଂଘର ସଦସ୍ୟମାନେ ଗାଁର ବିଭିନ୍ନ ଜାଗାରେ ପଡିରହିଥିବା ଅଳିଆ ଆବର୍ଜନା ସଫା କରି ଗାଁର ପରିବେଶ ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସେତିକି ନୁହେଁ ଗାଁ ମଶାଣୀରେ ଭରି ରହିଥିବା ଲଟା ବୁଦା ସଫା କରି ନିର୍ମଳ କରିଛନ୍ତି ।
ଏଭଳି ସେଚ୍ଛାସେବୀ ମନୋଭାବ ପୂର୍ଣ୍ଣ କରି ଆଗାମୀ ପିଢ଼ି ପାଇଁ ଏହା ପ୍ରେରଣା ଯୋଗେଇବ ବୋଲି ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି । ପୂର୍ବରୁ ଗାଁରେ ପାଣି ସମସ୍ୟାକୁ ନେଇ ନିଜ ଉଦ୍ୟମରେ ଛୁଆଁ ଓ କୁଅ ଖୋଳି ଅଞ୍ଚଳ ତଥା ରାଜ୍ୟ ପାଇଁ ବେସ୍ ପ୍ରଶଂସା ସାଉଁଟିଥିଲେ ଏହି ଯୁବକ ସଂଘର ସଦସ୍ୟମାନେ ବର୍ତ୍ତମାନ ପରିବେଶକୁ ନେଇ ଏବଂ ସ୍ୱଚ୍ଛତାକୁ ନେଇ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସାଂପ୍ରତିକ ପରିସ୍ଥିତିରେ ସ୍ୱଚ୍ଛତା କେତେ ଜରୁରୀ ତାହା ଏହି ଯୁବକ ସଂଘର ସଦସ୍ୟମାନେ ବେଶ ଭଲଭାବେ ଜାଣିଛନ୍ତି । ନିଜ ପରିବେଶ ଠିକ୍ ରହିଲେ ପ୍ରତ୍ୟେକ ବ୍ୟକ୍ତିର ମାନସିକ କ୍ଷେତ୍ରରେ ସ୍ୱଚ୍ଛତା ଆସିବ ବୋଲି ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ କହିଛନ୍ତି ।
ଯୁବକ ସଂଘର ସଜୀବ କୁମାର ପ୍ରଧାନ, ଧିରେନ ମଲ୍ଲିକ, ବାରିକ ପ୍ରଧାନ, ନିନିବ ଦିଗାଲ, ଚୋଟନ ଦିଗାଲ, ଅଜିତ ପ୍ରଧାନ, ଦିଲ୍ଲୀପ କୁମାର ପ୍ରଧାନ, ପ୍ରଭାକର ପ୍ରଧାନ, କାମରାଜ ପ୍ରଧାନ, ଟିଟନ ଦିଗାଲ, ବିଶାଳ ପ୍ରଧାନ ସମେତ ଅନ୍ୟମାନଙ୍କ ସହଯୋଗରେ କାର୍ଯ୍ୟ ସଫଳ ହୋଇପାରିଛି ।