ଆଜି ବିଶ୍ୱ ପରିବେଶ ଦିବସ : ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଚିନ୍ତା ବଢାଉଛି ବେଆଇନ୍‌ ଇଟା ଭାଟି

0 63

ସୁବର୍ଣ୍ଣପୁର : ଆଜି ବିଶ୍ୱ ପରିବେଶ ଦିବସ । କାଳକ୍ରମେ ପରିବେଶ ପ୍ରଦୂଷିତ ହେଉଥିବାରୁ ଚିନ୍ତାରେ ପରିବେଶବିତ୍‌ । ବିଶ୍ୱ ଉତ୍ତାପନ ନେଇ ସମସ୍ତଙ୍କ ଚିନ୍ତା ବଢୁଥିବା ବେଳେ ଜିଲ୍ଲାର ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ବେଆଇନ ଇଟାଭାଟିରୁ ନିର୍ଗତ ଧୁଆଁ ଲୋକଙ୍କ ପାଇଁ ଚିନ୍ତା ବଢାଇଛି । ସେହିକ୍ରମରେ ଉଲୁଣ୍ଡାବ୍ଲକ ଅଞ୍ଚଳରେ ମଧ୍ୟ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ସାଜିଛି ବେଆଇନ ଇଟାଭାଟି । ଯେଉଁ ଆଡେ ଦେଖିଲେ ଇଟାଭାଟି ଜଳୁଥିବା ବେଳେ ରାଜସ୍ୱ ବିଭାଗ ଚୁପ୍‌ । ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ବେଆଇନ ମାଟି ଇଟା ଭାଟି । ଉଲୁଣ୍ଡା ଅଞ୍ଚଳର ଶତାଧିକ ସ୍ଥାନରେ ତଥା ସୋନପୁର-ସମ୍ବଲପୁର ରୋଡ ତଥା ଜିଲ୍ଲାର ସମସ୍ତ ରାସ୍ତା ପାର୍ଶ୍ୱରେ ବେଧଡକ ଭାବରେ ବେଆଇନ ଇଟା ଭାଟିସବୁ ମୁଣ୍ଡ ଟେକିଥିବା ବେଳେ ରାଜସ୍ୱ ବିଭାଗ ସବୁ ଜାଣି ମଧ୍ୟ ଚୁପ ବସିଛି । ବିଶେଷ କରି ହିକୁଡି ଠାରୁ ଆରମ୍ଭ କରି ଉଲୁଣ୍ଡା ନିକଟସ୍ଥ ରାଜନଗର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡରେ ବିଭିନ୍ନ ସ୍ଥାନରେ ଇଟା ଭାଟି ଗୁଡିକ ଲାଗିଥିବା ବେଳେ କେମିତି ତାହା ପ୍ରଶାସନ ନଜରକୁ ଆସୁନାହିଁ ତାହା ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏପରିକି ଉଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ପାଖରେ ସମସ୍ତ ଖବର ଥାଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ବେଆଇନ ଇଟାଭାଟି ଗୁଡିକ ଲଗାଯାଉଥିବାରୁ ପରିବେଶ ପ୍ରଦୁଷଣ ହେବା ସଙ୍ଗେ ସଙ୍ଗେ ଅଞ୍ଚଳରେ ତାପମାତ୍ରା ବଢୁଛି । ବେଳେ ବେଳେ ରାସ୍ତାକଡ ନିକଟରେ ଇଟାଭାଟି ଗୁଡିକ ଲଗାଯାଉଥିବାରୁ ଧୂଆଁ ଦ୍ୱାରା ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଦୁର୍ଘଟଣାର ଶିକାର ମଧ୍ୟ ହେବାର ନଜିର ରହିଛି । ଏ ସମ୍ପର୍କରେ ଉଲୁଣ୍ଡା ତହସିଲଦାରଙ୍କ ଗତାନୁଗତିକ ଉତ୍ତର ଚେକିଂ ଚାଲିଛି, ଫାଇନ ପକାଯାଉଛି । ବେଆଇନ ଇଟାଭାଟି ସଂପର୍କରେ ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ପଚାରିଲେ କହୁଛନ୍ତି, ଫଟୋ ପଠାନ୍ତୁ କାର୍ଯ୍ୟାନୁଷ୍ଠାନ ନେବୁ । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ସଂପୂର୍ଣ୍ଣ ବାରଣ କରାଯାଇଥିବା କାର୍ଯ୍ୟକଳାପ ଅଞ୍ଚଳରେ ବଢି ଚାଲିଥିବା ବେଳେ ରାଜସ୍ୱ ବିଭାଗ ଦ୍ୱାରା ନିଯୁକ୍ତ ସ୍ଥାନୀୟ ଅଧିକାରୀ କରୁଛନ୍ତି କ’ଣ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଆଜି ବିଶ୍ୱ ପରିବେଶ ଦିବସ ଜିଲ୍ଲା ବାସୀଙ୍କ ପାଇଁ ହାସ୍ୟାସ୍ପଦ ପାଲଟିଛି ।

hiranchal ad1
Leave A Reply

Your email address will not be published.

five × three =