ଆଜି ବି ବଞ୍ଚିଛି ମାନବିକତା : ଗାନ୍ଧୀଙ୍କ ସ୍ୱପ୍ନ ଓ ପରିକଳ୍ପନାକୁ ସାକାର କଲେ ସମାଜସେବୀ ବୃନ୍ଦାବନ ରଥ

0 111

ସୁବର୍ଣ୍ଣପୁର : କୁଷ୍ଠ ରୋଗୀଙ୍କୁ ଉତ୍ସର୍ଗୀକୃତ ସେବା ଭଳି ମହାତ୍ମାଗାନ୍ଧୀଙ୍କ ଏଇ ସ୍ୱପ୍ନ ଓ ପରିକଳ୍ପନାକୁ ପ୍ରାୟତଃ ନେତା ତଥା ଲୋକେ କେବଳ ଭାଷଣ ବାଜିରେ ସୀମିତ ରଖିବା ବିଷୟ ଆମେ ଜାଣିଥିଲୁ । କିନ୍ତୁ ଗାନ୍ଧୀଙ୍କ ସେଇ ସ୍ୱପ୍ନ ବା ପରିକଳ୍ପନାକୁ ସାକାର କରି ପ୍ରକୃତ କାର୍ଯ୍ୟରେ ଦେଖାଇ ଏକ ଅନନ୍ୟ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ସ୍ୱଚ୍ଛ ଭାରତର ଉପଦେଷ୍ଟା, ସତ୍ୟ ସେବା ସାଇ ସମିତିର ବରିଷ୍ଠ ସଭ୍ୟ ତଥା ସମାଜସେବୀ ବୃନ୍ଦାବନ ରଥ । ସୋନପୁର ମହାନଦୀ ତେଲ ନଦୀର ସଙ୍ଗମ ସ୍ଥଳ ନିକଟରେ ଥିବା କୁଷ୍ଠ ରୋଗୀ ସେବା ଶ୍ରମରେ ଦୀର୍ଘ ୨୦ ବର୍ଷ ଧରି ଆଶ୍ରୟ ନେଇ ବହୁ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପଡି ଶଯ୍ୟାଶାୟୀ ଥିବା ୭୦ ବର୍ଷୀୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ପୋଢ଼ଙ୍କ ଆଜି ଦେହାନ୍ତ ଘଟିଥିଲା । ଏ ଖବର ପାଇବା ପରେ ଶ୍ରୀ ରଥ ସେବାଶ୍ରମର ଅନ୍ତେବାସୀଙ୍କ ସହିତ ଆଜି ପ୍ରବଳ ଖରାବେଳେ ଶ୍ରୀ ରାମେଶ୍ୱର ମନ୍ଦିର ସ୍ମଶାନ ଘାଟରେ ସ୍ୱର୍ଗୀୟ ପୋଢ଼ଙ୍କ ଅନ୍ତିମ ସଂସ୍କାରରେ କାନ୍ଧ ଦେବା ସହ ସମସ୍ତ ସହାୟତା ଯୋଗାଇ ଥିଲେ । ଶ୍ରୀ ରଥ ଦୀର୍ଘ ବର୍ଷ ରୁ ଏଇ ସେବାଶ୍ରମର ଅନ୍ତେବାସୀଙ୍କୁ ବିଭିନ୍ନ ପର୍ବପର୍ବାଣିରେ ଅନ୍ନ ଦାନ, ଫଳ ଓ ବିଭିନ୍ନ ଖାଦ୍ୟ ପହଞ୍ଚାଇବା ସହ ପ୍ରତିଦିନ ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଆଶ୍ରମ ଘରର ଯତ୍ନ ଓ ବିଭିନ୍ନ ସମସ୍ୟା କଥା ବୁଝାସୁଝା କରି ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ପ୍ରଶାସନର ମଧ୍ୟ ସବୁବେଳେ ସହାୟତା ଲୋଡିଥାନ୍ତି । ପ୍ରାକ୍ତନ ଏସପି ଦେବୀ ପ୍ରସାଦ ଦାଶଙ୍କ କାର୍ଯ୍ୟକାଳ ସମୟରୁ ଶ୍ରୀ ଦାଶ ଓ ସମାଜସେବୀ ଶ୍ରୀ ମଲ୍ଲିକଙ୍କ ସହାୟତାରେ ପ୍ରତିଦିନ ରାତିରେ ସହରରେ ବୁଲୁଥିବା ପାଗଳ ଓ ନିରାଶ୍ରୟ ଲୋକଙ୍କୁ ଅନ୍ନ ପ୍ୟାକେଟ ବାଣ୍ଟି ସେ ଖୁବ ଆତ୍ମ ସନ୍ତୋଷ ଲାଭ କରନ୍ତି । ନିଜେ ଏଇ ରୋଗୀଙ୍କ ଘା ଧୋଇ ଚିକିତ୍ସା କରାଇବାଠୁ ଆରମ୍ଭ କରି ତାଙ୍କରି ସବୁ ସେବା କରିବା ଦୁଃଖ ସୁଖରେ ସାମିଲ ହେବା ଶ୍ରୀ ରଥଙ୍କ ଏକ ନୀତି ଦିନିଆ ସେବା କାର୍ଯ୍ୟ ଅଟେ । ନିଜ ପରିବାର ଘର କାମ, ସତ୍ୟ ସାଇ ସେବା ସଂଗଠନ, ସ୍ୱଚ୍ଛ ଭାରତ ସେବା ସହିତ ଏମାନଙ୍କ ପାଇଁ ମଧ୍ୟ ଶ୍ରୀ ରଥ ଅନେକ ସମୟ ଦିଅନ୍ତି । ପ୍ରକାଶ ଯେ ଶ୍ରୀ ରଥ ପୂର୍ବରୁ ମଧ୍ୟ ଏଇ ଆଶ୍ରମର ଆଉ ତିନୋଟି ରୋଗୀଙ୍କ ଶବ ସଂସ୍କାର କରି ନିଜ ଉତ୍ସର୍ଗୀକୃତ ସେବା ଦେଇଛନ୍ତି । ଶ୍ରୀ ରଥଙ୍କ ଏଇ ମହତ କାର୍ଯ୍ୟ ଓ ମାନବିକତା ପାଇଁ ସ୍ୱଚ୍ଛ ଭାରତ, ପଏଁରୀ, ରକ୍ତ ଦାତା ସଂଘ, ସଂସ୍କାର ଭାରତୀ, ଆରଏସ ଏସ, ଭୀମ ଭୋଇ ସେବା ଟ୍ରଷ୍ଟ ପ୍ରମୁଖ ବିଭିନ୍ନ ଅନୁଷ୍ଠାନ ସମେତ ସହରର ବୁଦ୍ଧିଜୀବୀ ଖୁବ ପ୍ରଶଂସା କରି ଶ୍ରୀ ରଥଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + six =