ଜୋରସରରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ, ସରିଲାଣି ୪୧ଚକର କାମ

0 49

ପୁରୀ : ଆଉ ମାତ୍ର ଖୁବ୍‌ କମ୍‌ ଦିନ ରହିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥର ୪୨ଟି ଚକ ମଧ୍ୟରୁ ୪୧ଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦେବଦଳନ ରଥର ଗୋଟିଏ ଚକର ପଇରେ ଫାଟ ଦେଖାଯାଇଛି । ଏହି ପଇକୁ ବଦଳାଯିବ କି ନାହିଁ ତାହା ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ କରିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଶ୍ୱକର୍ମା । ସେହିପରି ତାଳଧ୍ୱଜ ରଥର ବଡ ଉଛଳା ଅଖରେ ଗଣ୍ଠି ଥିବାରୁ ଏହାକୁ ବଦଳାଯାଇଛି ।
ଆସନ୍ତା ଜୁଲାଇ ୧ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ବଡ଼ଦାଣ୍ଡରେ ଭକ୍ତଙ୍କ ମେଳରେ ରଥାରୂଢ଼ ହେବେ କାଳିଆ ସାଆନ୍ତ । ଏଥିପାଇଁ ବିଶ୍ୱକର୍ମା, ଭୋଇ, ରୂପକାର, କମାରଙ୍କ ସହ କରତି ଓ ଓଝା ସେବକମାନେ ବେଶ୍‌ ନିଷ୍ଠାର ସହ ରଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ତିନି ରଥର ୨୧ଟି ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ତାଳଧ୍ୱଜ ରଥର ବଡ ଉଛଳା ଅଖରେ ଗଣ୍ଠି ଥିବାରୁ ଏହାକୁ ବଦଳାଯାଇ ଆଉ ଏକ ଅଖ ନିର୍ମାଣ ହୋଇଛି । ବଦଳାଯାଇଥିବା ଅଖଟି ଦେବଦଳନ ରଥର ସାନ ଉଛଳା ପାଇଁ ବ୍ୟବହାର କରାଯାଇଛି । ସେହିପରି ଦେବଦଳନ ରଥର ବ୍ରେକ ଚକର ପଇରେ ଫାଟ ଦେଖା ଦେଇଛି । ରଥ ବିଶେଷଜ୍ଞ ଟିମ୍‌ ଏହାକୁ ଅନୁଧ୍ୟାନ କରିବା ପରେ ଫାଟ ସୃଷ୍ଟି ହୋଇଥିବା ପଇକୁ ବଦଳାଯିବ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଦେବଦଳନ ରଥର ବିଶ୍ୱକର୍ମା । ତେବେ ରଥର ଏହି ବ୍ରେକ୍‌ ଚକଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବାରୁ ଏହାକୁ ବଦଳାଇବା ନିହାତି ଆବଶ୍ୟକ । ନଚେତ୍‌ ରଥଯାତ୍ରା ସମୟରେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି ।

hiring


ଗତକାଲି ରଥଖଳାରେ ରଥର ମୂଳଦୁଆ ଦଣ୍ଡା ଅନୁକୂଳ ହେବା ପରେ ବିଶ୍ୱକର୍ମା ମାନେ ଏହାକୁ ବାରିସି ସାହାଯ୍ୟରେ ସାଇଜ କରୁଛନ୍ତି । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୯ଟି ଲେଖାଏଁ ଦଣ୍ଡା ଏବଂ ଦେବଦଳନ ରଥର ୭ଟି ଦଣ୍ଡା ରହିଛି । ବିଧି ଅନୁଯାୟୀ ଶୀତଳଷଷ୍ଠୀ ପରଦିନ ପଞ୍ଚପାଣ୍ଡବ ସହର ପରିକ୍ରମା କରି ଆସିବା ପରେ ରଥଖଳାରେ ଥାକ ମରାଯାଇଥିବା ଚକରେ ପନ୍ତି ଭୋଗ କରାଯିବ । ଏହା ପରେ ସମସ୍ତ ଅଖ ସହିତ ଚକର ସଂଯୋଗ ହେବ । ତେବେ ଅଖ ଉପରେ ଦଣ୍ଡା ରହିବ । ଦଣ୍ଡା ଓ ଗରଗରା ଉପରେ ରଥ ଉପର ଅଂଶର ସମସ୍ତ ଭାରା ରହିବ । ଦଣ୍ଡାରେ ଗରଗରା ପଡିବା ପରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଚାରି ନାହାକା ଉଠିଯିବ ବୋଲି କହିଛନ୍ତି ଭୋଇ ସର୍ଦ୍ଦାର ।
ସେପଟେ ରୂପକାର ସେବକମାନେ ତିନି ରଥର ୬ଟି ଲେଖାଏଁ ସାଲ ଗୁଜରେ ରୂପ ଖୋଦେଇ ସାରିଥିବା ବେଳେ କମାର ସେବକ ଦୋଳବେଦୀରେ ନନ୍ଦିଘୋଷ ରଥର ଗୟଳ ଚିରଟ କାର୍ଯ୍ୟ ଜାରି କରୁଛନ୍ତି । ରଥ ନିର୍ମାଣ କାର୍ଯ୍ୟ ଆଜକୁ ୩୧ ଦିନରେ ପହଞ୍ଚିଛି । ଏଥିରେ ମୋଟ ୧୯୭ଜଣ କାରିଗର ନିୟୋଜିତ ଅଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =