ରାଗିଂ ନିୟନ୍ତ୍ରଣ ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କଡ଼ା ଆଇନ ପ୍ରଣୟନ କରିବାକୁ ଦାବି

0 46

ସମ୍ବଲପୁର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିରନ୍ତର ଘଟୁଥିବା ରାଗିଂକୁ ନିୟନ୍ତ୍ରଣରେ ଆଣିବା ପାଇଁ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ କଠୋର ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି । ପାର୍ଟିର ସମ୍ବଲପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ପକ୍ଷରୁ ଏହିପରି ଦାବି କରାଯାଇଛି । ମହାରାଷ୍ଟ୍ର, କେରଳ, ଜାମ୍ମୁ କାଶ୍ମୀର, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ପରି ରାଜ୍ୟରେ ଏଭଳି ଆଇନ ଆଗରୁ କାର୍ଯ୍ୟକାରୀ ଯୋଗୁଁ ସେଠାରେ କ୍ୟାମ୍ପସ ରାଗିଂ ନିୟନ୍ତ୍ରଣରେ ରହୁଛି । ଆଜି ଏହି ସମ୍ମିଳନୀକୁ ସମ୍ବୋଧିତ କରି ଯୁବମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ ନିରନ୍ତର ଏପରି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପରିପ୍ରେକ୍ଷୀରେ ଏହାକୁ ହାଲୁକା ଭାବେ ନିଆଗଲେ ଆଗକୁ ଆଉ ଅଧିକ କ୍ଷତି ହେବାର ଆଶଙ୍କା ରହୁଛି । ଏପରି ଘଟଣାକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡିକ ନିୟନ୍ତ୍ରଣରେ ଆଣିପାରୁ ନାହାନ୍ତି, ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ହସ୍ତକ୍ଷେପ ଦରକାର ପଡୁଛି ଓ ଏହି ପରିପ୍ରେକ୍ଷୀରେ ଏକ ଦେୟମୁକ୍ତ ହେଲ୍ପଲାଇନ ରହିବା ଆବଶ୍ୟକ । ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କରେ ରାଗିଂ ନିୟନ୍ତ୍ରଣ ପାଇଁ ସମିତି ରହିଥିବା ସତ୍ତେ୍ୱ ସେଗୁଡିକ ପ୍ରଭାବୀ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ଗତ ଶନିବାର ଦିନ ଜଣେ ଛାତ୍ରୀ ରାଗିଂ ଯନ୍ତ୍ରଣା ସହି ନ ପାରି ଆତ୍ମହତ୍ୟା କରିଥିବା ରାଜ୍ୟ ପାଇଁ ଲଜ୍ଜ୍ୟାର ବିଷୟ । ତାଙ୍କର ପରିବାରବର୍ଗ ଉକ୍ତ ଘଟଣା ପାଇଁ ଉଚିତ କାର୍ଯ୍ୟାନୁଷ୍ଠାନ ଦାବିରେ ଶିକ୍ଷାନୁଷ୍ଠାନ ସାମ୍ନାରେ ଧାରଣା ପ୍ରଦର୍ଶନ ସତ୍ତେ୍ୱ ସରକାରଙ୍କ ନିରବତା ଚିନ୍ତାର ବିଷୟ । ରାଜ୍ୟ ବିଧାନସଭାର ଚଳିତ ଅଧିବେଶନରେ ଏହାକୁ ନେଇ ଅନେକ ବାକବିତଣ୍ଡା ମଧ୍ୟ ହୋଇଯାଇଛି । ଆଜିକାର ଏହି ସଭାରେ ଇରାଶିଷ ଆଚାର୍ଯ୍ୟଙ୍କ ସହିତ ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ଅଶ୍ୱିନୀ ମାଝୀ, ମିଡ଼ିଆ ସଂଯୋଜକ ଅର୍ଚ୍ଚନା ପ୍ରିୟଦର୍ଶିନୀ ବାଗ ଓ କ୍ଷେତ୍ରୀୟ ମିଡ଼ିଆ ସଂଯୋଜକ ମାନସ ରଞ୍ଜନ ବକ୍ସି ଆଦି ମଞ୍ଚାସୀନ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =