ପାଣ-ଗଣ୍ଡା ସମାଜର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

0 96

ବୌଦ୍ଧ : ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏକ ହୋଟେଲ ସଭା ଗୃହଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସ୍ୱାଗତ ଭାଷଣ ଦେବା ସହିତ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥଲେ । ବୈଠକରେ ସଂଗଠନର ସାମାଜିକ ଏକତା, ସାମାଜିକ ସଂସ୍କାର, ସାମାଜିକ ପରିବର୍ତ୍ତନ, ଅର୍ଥନୈତିକ ଉନ୍ନତି, ଗୁଣାତ୍ମକ ଶିକ୍ଷା ଏବଂ ସାମ୍ବିଧାନିକ ଅଧିକାର ତଥା ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଏବଂ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଦୀର୍ଘ ସମୟ ଆଲୋଚନା କରାଯାଇ କାର୍ଯ୍ୟ ଖସଡ଼ା ନିର୍ଦ୍ଧାରଣ କରା ଯାଇଥିଲା । ପ୍ରଥମରେ ପ୍ରବାଦ ପୁରୁଷ ତଥା ସଂବିଧାନ ପ୍ରଣେତା ବାବା ସାହେବଙ୍କ ଜୟନ୍ତୀରୁ ଆରମ୍ଭ କରାଯାଇଥିବା “ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ର’ ଉପରେ ସୁବିସ୍ତୃତ ଆଲୋଚନା କରାଯିବା ସହିତ ଚଳିତ ମାସ ଶେଷ ସୁଦ୍ଧା ବାପୁଜୀ ନଗର (ବୌଦ୍ଧ) ଠାରେ ଚତୁର୍ଥ ଶିକ୍ଷା ଦାନ କେନ୍ଦ୍ର ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଦ୍ୱିତୀୟରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଥିବା ଶହଶହ ଭୂମିହୀନ ଏବଂ ଡିହହୀନଙ୍କୁ ସରକାରଙ୍କ “ମୋ ଡିହ, ମୋ ଜମି’ ଯୋଜନାରୁ ୧୦ ଡିସିମିଲ ଘରବାରି ପଟ୍ଟା ଏବଂ ୦୨ ଏକର ଜମି ପଟ୍ଟା ଯୋଗାଇ ଦେବା ପାଇଁ ତିନୋଟି ତହସିଲ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମରେ ଚଳିତ ମାସ ୨୭ ତାରିଖରେ କଣ୍ଟାମାଳ, ଦ୍ୱିତୀୟରେ ଆସନ୍ତା ଜୁନ୍‌ ମାସ ୧୦ ତାରିଖ ରେ ହରଭଙ୍ଗା ଏବଂ ତୃତୀୟରେ ଜୁନ୍‌ ମାସ ୨୪ ତାରିଖରେ ବୌଦ୍ଧ ତହସିଲ୍‌ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଘେରାଉ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତୃତୀୟରେ ସରକାର ଆମ ଜିଲ୍ଲାର ପ୍ରତି ବ୍ଲକ ରେ ଦୁଇଟି ଲେଖାଏଁ ମାଟ୍ରିକ ଆବାସିକ ସେବା ଶ୍ରମ ( ଏସସି ) ଏବଂ ଅତିକମରେ ଗୋଟିଏ ଲେଖାଏଁ ମହାବିଦ୍ୟାଳୟ ଆବାସିକ ସେବାଶ୍ରମ (ଏସସି) ସ୍ଥାପନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ଦାବୀପତ୍ର ପ୍ରଦାନ ସହିତ ଜୁଲାଇ ମାସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଏବଂ ଗଣଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ଉପ ସଭାପତି ମକରଧ୍ୱଜ ମହାନନ୍ଦିଆ , ବସନ୍ତ କୁମାର ଖୂରା, ରୋହିତ କୁମାର କହଁର, ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ, ସଂଗଠନ ସମ୍ପାଦକ ଦେବଦତ୍ତ ସାଗର, ବରିଷ୍ଠ ସଦସ୍ୟ କ୍ଷେତ୍ର ମୋହନ ମହାନନ୍ଦ, କଳିଙ୍ଗ ତାଣ୍ଡିଆ, କୃପାସିନ୍ଧୁ ବଳିଆର, ସୁବ୍ରତ କୁମାର ଜଗଦଲା, ପ୍ରଫୁଲ୍ଲ ବେହେରା ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 1 =