ଲୋକଙ୍କ ମୁହଁରେ ନୁହେଁ, ହୃଦୟରେ ହସ ଫୁଟାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ-ମୁଖ୍ୟମନ୍ତ୍ରୀ

0 38

ଭୁବନେଶ୍ୱର:ଆମ ସରକାର ଲୋକଙ୍କ ମୁହଁରେ ନୁହେଁ, ହୃଦୟରେ ହସ ଫୁଟାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ନିର୍ବାଚନ ପୂର୍ବରୁ ଆମେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲୁ । ଆମର ସଂକଳ୍ପପତ୍ର ଘୋଷଣା କରିଥିଲୁ । ଏହା ଲୋକଙ୍କ ପ୍ରତି ଆମ ଦାୟିତ୍ୱବୋଧର ପ୍ରତିଫଳନ ଥିଲା । ଆମ ପାଇଁ ଆମ ସଂକଳ୍ପପତ୍ର ଆମ ଧର୍ମଗ୍ରନ୍ଥ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ତିନିଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ ସରକାରଙ୍କ ଶହେ ଦିନ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ସରକାର ପ୍ରଜାଙ୍କର ଓ ପ୍ରଜାଙ୍କ ପାଇଁ । ଲୋକମତ, ଲୋକହିତ ଓ ଲୋକସ୍ୱାର୍ଥ ହିଁ ସର୍ବୋପରି ।
ଆମ ସରକାର ଲୋକଙ୍କ ସମର୍ଥନରେ ଗଢ଼ା ହୋଇଥିବା ଲୋକଙ୍କ ସରକାର । ଦୀର୍ଘ ୨୪ ବର୍ଷର ଅହଙ୍କାରୀ ସରକାରର ପତନ ଘଟିଛି କେବଳ ଲୋକଙ୍କ ପାଇଁ । ଲୋକଙ୍କଠାରୁ ଦୂରେଇ ଗଲେ, ଲୋକ ବିରୋଧୀ ହେଲେ, ଲୋକଙ୍କ ସମସ୍ୟାକୁ ଅବହେଳା କଲେ, ଲୋକେ ଯେ ଗ୍ରହଣ କରିବେ ନାହିଁ, ଏହା ପ୍ରମାଣିତ ହୋଇଛି ୨୦୨୪ ନିର୍ବାଚନରେ ।
ସେ ଆହୁରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ସିଧାସଳଖ ଭାବରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ସମସ୍ୟାର ପ୍ରତି ବିଧାନ ପାଇଁ ପ୍ରୟାସ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗତକାଲି କେନ୍ଦୁଝରଠାରେ ରାଜ୍ୟର ପ୍ରଥମ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲାଯାଇଛି । ଏହା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବାରେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ସେ କହିଥିଲେ।
କେନ୍ଦୁଝରର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝରରେ ପ୍ରାଚୁର୍ଯ୍ୟତା ମଧ୍ୟରେ ଦାରିଦ୍ର୍ୟତା ରହିଛି । ଦାରିଦ୍ର୍ୟତା ଓ କୁପୋଷଣକୁ ଦୂର କରିବା ପାଇଁ ଆମ ସରକାର ଦୂରଦୃଷ୍ଟି ସଂପନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଉଛନ୍ତି । କେନ୍ଦୁଝର ଜିଲ୍ଲାରେ ଗମନାଗମନ, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ରେଳ ବିକାଶ ସମେତ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । ଚଳିତ ବର୍ଷ ଧରଣୀଧର ମେଡ଼ିକାଲ କଲେଜରେ ଟ୍ରମା କେୟାର କେନ୍ଦ୍ର ନିଶ୍ଚିତ ଭାବେ ଖୋଲାଯିବ । କେନ୍ଦୁଝରର ବିକାଶ ପାଇଁ ଆଜି ୯୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

hiring


କେନ୍ଦୁଝରବାସୀଙ୍କ ଆନ୍ତରିକ ସହଯୋଗରେ ଏହି ବିକାଶ ଧାରା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ ।
ଦୀର୍ଘ ୪୦ ବର୍ଷ ଧରି ଅସଂପୂର୍ଣ୍ଣ ଥିବା କାନୁପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଆମ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ଆସନ୍ତା ଜୁନ୍‌ ମାସ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ଏବଂ ସ୍ଥାନୀୟ ବାସିନ୍ଦା ଏବଂ କେନ୍ଦୁଝର ଜିଲ୍ଲାବାସୀଙ୍କ ବହୁଦିନର ଆକାଂକ୍ଷା ପୂରଣ ହେବ । ବଡ଼ବିଲ୍‌-ପାରାଦୀପ ୮ ଲେନ୍‌ ବିଶିଷ୍ଟ ରାସ୍ତା ପ୍ରକଳ୍ପ ସାକାର ହେବାକୁ ଯାଉଛି । ଉତ୍ତର ଓଡ଼ିଶା ବିକାଶ ପରିଷଦ ମଧ୍ୟ ଗଠନ କରାଯାଇଛି । ଏହା ସଂପୃକ୍ତ ଜିଲ୍ଲାଗୁଡ଼ିକର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ମା’ତାରିଣୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆଉ ଅଧିକ ୫୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ମନ୍ଦିରର ସଂପୂର୍ଣ୍ଣ ସୌନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ । କେନ୍ଦୁଝରରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚାଲିଲା । ଆଗାମୀ ଦିନରେ କେନ୍ଦୁଝରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନ୍‌ ଚାଲିବ । ଆଜି ଆମେ ଯାହା ଚାହୁଁଛୁ କେନ୍ଦ୍ର ସରକାର ଆମକୁ ଯୋଗାଇ ଦେଉଛନ୍ତି । କେନ୍ଦୁଝର ଜିଲ୍ଲାର ପ୍ରାକୃତିକ ସମ୍ପଦ ଓ ଏଠାକାର ମାନବସମ୍ବଳର ଉପଯୁକ୍ତ ବିନିଯୋଗ କରି ଆମେ ସୁନାର କେନ୍ଦୁଝର ଗଢ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡ଼ିବ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଏଥି ପାଇଁ କେନ୍ଦୁଝରର ଭାଇ ଭଉଣୀମାନଙ୍କର ନିଷ୍ଠା ଓ ସହଯୋଗ କାମନା କରିଥିଲେ ।
ରାଜ୍ୟର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶପଥ ପାଠର ଏକ ଘଣ୍ଟା ପରେ କ୍ୟାବିନେଟ ଡକାଇ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା ନିଷ୍ପତ୍ତି ନିଆଗଲା ।
ପରଦିନ ସକାଳୁ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଗଲା । ଗତ ୫୨ ବର୍ଷ ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯାଇ ନଥିଲା । ଆମ ସରକାର ଆସିବା ପରେ ଦୁଇମାସ ମଧ୍ୟରେ ଆମେ ଭିତର ରତ୍ନ ଭଣ୍ଡାର ଖୋଲି ଲୋକଙ୍କ ସାମ୍‌ନାକୁ ଆଣିଲୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇପାରିଲା ।
ଓଡ଼ିଆ ଅସ୍ମିତାର ସମ୍ମାନ ଓ ଏହାର ପୁନଃପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ନିଷ୍ପତ୍ତି ନିଆଗଲା । ଓଡ଼ିଆ ଅସ୍ମିତା ପାଇଁ କର୍ପସ ଗଠନ କରି ବଜେଟ୍‌ରେ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଗଲା ।
ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ମଧ୍ୟ ୫୦୦ କୋଟି ଟଙ୍କର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ନୂଆ ସରକାର ପ୍ରତିଷ୍ଠା ହେବା ପରେ ଗଣତନ୍ତ୍ରରେ ଲୋକଙ୍କ ପାଇଁ କାମ କରିବାକୁ ଗୁରୁତ୍ୱ ଦିଆଗଲା ଏବଂ ଆମ ସରକାର ଲୋକଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଗରିବ, ମହିଳା, ଚାଷୀ ଓ ଯୁବକଙ୍କ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏହି ମର୍ମରେ ଆମ ସରକାର ଶହେ ଦିନ ଭିତରେ ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଚାଷୀ ଭାଇଭଉଣୀଙ୍କ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରାଯାଇଛି । ପୂର୍ବ ସରକାର ୧୦୦ ଟଙ୍କା ଘୋଷଣା କରି ମଧ୍ୟ ଚାଷୀମାନଙ୍କୁ ଦେଇପାରିନଥିଲେ । ଚାଷୀର ବିକାଶ ଓ ସହାୟତା ପାଇଁ କେନ୍ଦ୍ର ସରକାର ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ସହ ରାଜ୍ୟ ସରକାର ସିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ସହାୟତା ପ୍ରଦାନ ର ବ୍ୟବସ୍ଥା କରାଯାଇଛି ।
ମହିଳା ସଶକ୍ତିକରଣ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ରାଜ୍ୟରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ଦିନ ରାଜ୍ୟର ୨୫ ଲକ୍ଷ ମହିଳା ଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଯୋଜନାରେ ରାଜ୍ୟର ଏକ କୋଟି ମହିଳା ସାମିଲ ହେବେ । ଭାରତବର୍ଷର ଏହା ହେବ ସବୁଠାରୁ ବଡ଼ ଯୋଜନା ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି । ପିଏମ୍‌ ଜନଆରୋଗ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଦିଆଯିବା ସହ ଆମ ରାଜ୍ୟର ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ମଧ୍ୟ ଲାଗୁ କରାଯାଇଛି । ପ୍ରାଥମିକ ସ୍ତରରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଜରିଆରେ ହାଇସ୍କୁଲ ପଠାଇବା ପାଇଁ ଆମ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତରେ ଏହି ସ୍କୁଲ ଖୋଲିବ । ଏଗୁଡ଼ିକ ପ୍ରାଥମିକ ସ୍ତରରେ ପିଲାଙ୍କ ଶିକ୍ଷା ମୂଳଦୁଆକୁ ସଶକ୍ତ କରିବ । ଜନଜାତିବହୁଳ ଅଞ୍ଚଳରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ମାଧୋସିଂହ ହାତଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ଦାସ, କନକଲତା ମହାନ୍ତ, ଆଲୁମୁନି ମାରାଣ୍ଡିଙ୍କୁ ‘ସୁଭଦ୍ରା’ ସହାୟତା, ସୁଭଦ୍ରା ମୁଣ୍ଡା, ରୂପନାରାୟଣ ପାତ୍ର, ରବୀନ୍ଦ୍ରନାଥ ମହାନ୍ତଙ୍କୁ ‘ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା’ ଏବଂ ରୁକୁଣୀ ମହାନ୍ତ ଓ ସୁଚିତ୍ରା ସାହୁଙ୍କୁ ‘ନିର୍ମାଣ ଶ୍ରମିକ ପରିଚୟପତ୍ର’ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାୟକ, କେନ୍ଦୁଝର ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fourteen − 11 =