କିରୋସିନୀ ଢାଳି ହତ୍ୟା କଲା ନିଷ୍ଠୁର ସ୍ବାମୀ

0 80

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଳି ଗ୍ରାମରେ ସ୍ତ୍ରୀ ଦେହରେ କିରୋସିନୀ ଢାଳି ନିଆଁ ଲଗାଇବା ସହ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ଅପରାହ୍ନରେ ପୀଡ଼ିତା ମହିଳାଙ୍କର କଟକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ରେଙ୍ଗାଳି ଗ୍ରାମର ବିଜୟ ନାୟକ (୪୦)ଙ୍କ ସ୍ତ୍ରୀ ସବିତା ନାୟକ (୩୪) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ବିଜୟ ଏବଂ ସବିତା ୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ | ମାତ୍ର ତାଙ୍କର କୌଣସି ସନ୍ତାନ ସନ୍ତତି ନହେବାରୁ ଏହାକୁ କେନ୍ଦ୍ର କରି ସ୍ବାମୀ- ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟୁଥିଲା। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ମଧ୍ୟ ଏହି ପ୍ରସଙ୍ଗକୁ କେନ୍ଦ୍ରକରି ସ୍ବାମୀ – ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ବିଜୟ ସ୍ତ୍ରୀ ସବିତାଙ୍କ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲା । ଫଳରେ ସବିତାଙ୍କ ଶରୀରର ବିଭିନ୍ନ ଅଂଶ ନିଆଁରେ ପୋଡ଼ିଯାଇ ସେ ଗୁରୁତର ଆହତ
ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚିକିତ୍ସା ନିମନ୍ତ ପ୍ରଥମେ ପାଲଲହଡ଼ା, ପରେ କେନ୍ଦୁଝର ଏବଂ ସେଠାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସବିତାଙ୍କର ମୃତ୍ୟୁ ଘଟିଥିଲା । ସବିତାଙ୍କ ବାପା ପାଲଲହଡ଼ା ଥାନା ଟେଭାପାଳ ଗ୍ରାମର ଦିନୁ ମହାନ୍ତ ଏ ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ବିଜୟକୁ ଥାନାରେ ଅଟକ ରଖ୍ ପଚରାଉଚୁରା କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାରକୋଟ ଥାନା ଅଧିକାରୀ ମମତା ପାଣିଗ୍ରାହୀଙ୍କ ନେତୃତ୍ବରେ ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରୁ ପୋଡ଼ି ଯାଇଥିବା ଶାଢି ସମେତ ଅନ୍ୟାନ୍ୟ ନମୂନା ସଂଗ୍ରହ କରିଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

hiranchal ad1
Leave A Reply

Your email address will not be published.

13 − 2 =