ନନ୍ଦୋତ୍ସବ ନୀତିରେ ବିଳମ୍ବ ଯୋଗୁଁ ଅନିଦ୍ରା ରହିଲେ ମହାପ୍ରଭୁ

0 81

ପୁରୀ : ନନ୍ଦୋତ୍ସବ ନୀତିରେ ବିଳମ୍ବ ଯୋଗୁଁ ଅନିଦ୍ରା ରହିଲେ ମହାପ୍ରଭୁ । ଅର୍ଥାତ ଗତକାଲି ମହାପ୍ରଭୁ ପହୁଡ ହୋଇନାହାଁନ୍ତି । ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଗତକାଲିର ସଂଧ୍ୟା ଆଳତୀ ଆଜି ଭୋର ୪ଟା ୧୫ରେ ସଂପନ୍ନ ହୋଇଥିଲା । ସେପଟେ ମହାପ୍ରଭୁଙ୍କର ପହୁଡ ହୋଇନଥିବାରୁ ଦ୍ୱାର ଫିଟା ମଧ୍ୟ ହୋଇନଥିଲା । ସକାଳ ୬ଟା ୩୦ମିନିଟରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମଙ୍ଗଳାଳତୀ ସଂପନ୍ନ ହେବା ପରେ ଦୈନନ୍ଦିନର ଅନ୍ୟାନ୍ୟ ନିତି ବଢିଛି । ସେପଟେ ଯେହେତୁ ମହାପ୍ରଭୁ ରାତି ପହୁଡ ହୋଇନାହାଁନ୍ତି ଏଣୁ ସାଧାରଣ ଦର୍ଶନ ଚାଲୁ ରହିଛି । ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରୁଛନ୍ତି । ତେବେ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ଏବେ ନିତିଦିନିଆ ହୋଇଗଲାଣି । ଯଦିଓ ଗତକାଲି ନନ୍ଦୋତ୍ସବ ଯୋଗୁଁ ଅନେକ ନିତିକାନ୍ତି ରହିଥିଲା । ହେଲେ ବି ନନ୍ଦୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବରୁ ନୀତି ସଅଳ କରିବାର ଆବଶ୍ୟକତା ଥିଲା । ମାତ୍ର ସମନ୍ୱୟର ଅଭାବ ଯୋଗୁଁ ବିଭିନ୍ନ ସମୟରେ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହେଉଥିବା ସ୍ପଷ୍ଟ ବାରିହୋଇପଡୁଛି । ନା ସେବାୟତ ମାନେ ଏଥିପ୍ରତି ଯତ୍ନଶୀଳ ହେଉଛନ୍ତି ନା ଶ୍ରୀମନ୍ଦିର ପ୍ରଶାସନ । ସ୍ଥାୟୀ ପ୍ରଶାସକ ନିଯୁକ୍ତି ହେବା ପରେ ବି ଅଧିକ ବିଶୃଙ୍ଖଳା ହେଉଥିବା ନଜର ଆସୁଛି । ଯେଉଁ ଦିନ ଅଧିକ ନିତି ରହୁଛି ସେଦିନ କିଭଳି ନିତି ଶୃଙ୍ଖଳିତ ହେବ ସେବାୟତ ନିଯୋଗ ସହ ଆଲୋଚନା କରି ଉପଯୁକ୍ତ ମନିଟରିଂ କରାଯିବା ଆବଶ୍ୟକ । ମାତ୍ର ଏଥିପ୍ରତି ଦୃଷ୍ଟି ନଦେଇ ବେପରୁଆ ଭାବେ ବସିଯିବା ଉଚିତ ନୁହେଁ । ଫଳରେ ଏଥିପାଇଁ ମନ୍ଦିରରେ ବିଭିନ୍ନ ସମୟରେ ନୀତିକାନ୍ତିରେ ସମସ୍ୟା ସୃଷ୍ଟି ହେଉଛି । ଆଉ ଖାସକରି ଏଇଥିପାଇଁ ମହାପ୍ରଭୁଙ୍କୁ ରାତି ଉଜାଗର ରହିବାକୁ ପଡୁଛି ।

hiranchal ad1
Leave A Reply

Your email address will not be published.

8 + eleven =