ରାଜ୍ୟପାଳଙ୍କ ଦ୍ୱାରା ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା :ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପଂହଚାଇବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

0 107

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପଂହଚାଇବା ଉପରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି । ଚଳିତ ଅଗଷ୍ଟ ୧୨ ତାରିଖରେ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା ଅବସରରେ ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି । ଏତଦ୍‌ବ୍ୟତୀତ ପ୍ରତ୍ୟେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ରାଜ୍ୟରେ ଜଳ ଜୀବନ ମିଶନ ଯୋଜନାର କାର୍ଯ୍ୟକାରିତା ଏବଂ ଏହି ଯୋଜନା ଅନ୍ତର୍ଗତ ଗ୍ରାମୀଣ କାର୍ଯ୍ୟକ୍ରମରେ ଘରୋଇ ପାଇପ୍ ଜଳ ସଂଯୋଗ କ୍ଷେତ୍ରରେ ଅଗ୍ରଗତି ସଂପର୍କରେ ବିଶଦଭାବେ ସମୀକ୍ଷା କରିଥିଲେ । ବିଶୁଦ୍ଧ ପାନୀୟ ଜଳ ହେଉଛି ଲୋକଙ୍କର ମୌଳିକ ଆବଶ୍ୟକତା ଏଣୁ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ଜଳ ଯୋଗାଇବା ସରକାରଙ୍କର ପ୍ରାଥମିକତା ବୋଲି ରାଜ୍ୟପାଳ କହିବା ସହିତ ଏକ୍ଷେତ୍ରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଷ୍ଟି କୋଣ ଉଲ୍ଲେଖ କରିଥିଲେ । ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ଅସୁବିଧା ସଂପର୍କରେ ରାଜ୍ୟପାଳ ଆଲୋଚନା କରିଥିଲେ । ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ମାନ, ସମୟୋଚିତ କାର୍ଯ୍ୟ ସମାପନ ଏବଂ ଦୀର୍ଘକାଳୀନ ସ୍ଥାୟିତ୍ୱ ସୁନିଶ୍ଚିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରାପ କରିଥିଲେ । ଗ୍ରାମୀଣ ଜୀବନ ପରିବର୍ତ୍ତନ କରିବାରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ କହିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଠିକ୍ ରୂପାୟନ ଜୀବନ ଧାରଣର ମାନରେ ଉନ୍ନତ୍ତି ଆଣିପାରିବ ବୋଲି କହିଥିଲେ ।
ଏତଦ୍‌ବ୍ୟତୀତ ରାଜ୍ୟପାଳ କହିଥିଲେ ଯେ, ପଂଚାୟତ ବ୍ୟବସ୍ଥା ଲୋକଙ୍କ ନିକଟତର ହେବା ଆବଶ୍ୟକ । ବିକେନ୍ଦ୍ରୀକରଣ କାର୍ଯ୍ୟକ୍ରମଗୁଡ଼ିକ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରେ ଏବଂ ଉତ୍ତମ ତଦାରଖକୁ ସୁଗମ କରେ । ଏଣୁ ଏହି ଦୃଷ୍ଟିରୁ ରାଜ୍ୟରେ ଗ୍ରାମ ପଂଚାୟତ ସଂଖ୍ୟା ବୃଦ୍ଧି କରିବା ଦିଗରେ ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ ।
ପ୍ରାରମ୍ଭରେ ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପଂଚାୟତିରାଜ ସଂସ୍ଥାକୁ ସୁଦୃଢ କରିବା ଓ ଗ୍ରାମୀଣ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ସରକାର କିଭଳି ଭାବରେ ବିକଶିତ ଓଡ଼ିଶା ଗଠନରେ ବ୍ରତୀ ରହିଛନ୍ତି ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ନାଏକ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ବିଭାଗୀୟ କମିଶନର-ତଥା-ଶାସନ ସଚିବ ଏସ.ଏନ୍‌.ଗିରୀଶ ବିଭାଗର ସମସ୍ତ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।
ଉକ୍ତ ସମୀକ୍ଷା ବୈଠକରେ ନିର୍ଦ୍ଦେଶକ (ପାନୀୟ ଜଳ ଓ ପରିମଳ) ଭିନିତ ଭରଦ୍ୱାଜ, ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ନିର୍ଦ୍ଦେଶକ (ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ) ସୁରେନ୍ଦ୍ର କୁମାର ମୀନାଙ୍କ ସମେତ ବିଭାଗୀୟ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବିକଶିତ ଗାଁ – ବିକଶିତ ଓଡ଼ିଶା, ଅନ୍ତ୍ୟୋଦୟ ଗୃହ ଯୋଜନା, ଜଳ ଜୀବନ ମିଶନ, ଗ୍ରାମୀଣ ଆବାସ, ଏମଜିଏନଆରଇଜିଏସ୍‌, ପିଏମ୍‌-ଜନମନ, ସୌର ପ୍ରକଳ୍ପ, ପଂଚାୟତିରାଜ ସଂସ୍ଥାର କ୍ଷମତାବୃଦ୍ଧି, ବିତ୍ତି କମିଶନ ଅନୁଦାନ, ବିପଣନ ବ୍ୟବସ୍ଥା ଓ ଜୀବିକା ଇତ୍ୟାଦି ବିଷୟରେ ପାୱାର ପଏଂଟ ପ୍ରେଜେଂଟେସନ୍ ମାଧ୍ୟମରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା । ପଂଚାୟତ ବ୍ୟବସ୍ଥା ଲୋକଙ୍କ ନିକଟତର ହେବା ଆବଶ୍ୟକ । ବିକେନ୍ଦ୍ରୀକରଣ କାର୍ଯ୍ୟକ୍ରମଗୁଡ଼ିକ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରେ ଏବଂ ଉତ୍ତମ ତଦାରଖକୁ ସୁଗମ କରେ । ଏଣୁ ରାଜ୍ୟରେ ଗ୍ରାମ ପଂଚାୟତ ସଂଖ୍ୟା ବୃଦ୍ଧି କରିବା ପାଇଁ ସର୍ଭେ କରିବା ପାଇଁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

13 + 6 =