ବ୍ଲକସ୍ତରରେ ହେବ ନିଯୁକ୍ତି ପରାମର୍ଶ ମେଳା

0 37

କେନ୍ଦୁଝର : ଜିଲ୍ଲାର ଯୁବକଯୁବତୀ ମାନଙ୍କୁ କର୍ମସଂସ୍ଥାନ ଯୋଗାଇବା, ସ୍ଵରୋଜଗାରକ୍ଷମ କରିବା ଓ ଯୁବ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରାଇବା ପାଇଁ ଉପଯୁକ୍ତ ତାଲିମ ଓ ମାର୍ଗ ଦର୍ଶନ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ବିଭାଗ ପକ୍ଷରୁ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏନେଇ ଆଜି କେନ୍ଦୁଝର ଜିଲ୍ଲା ପରିଷଦ କାର୍ଯ୍ୟାଳୟସ୍ଥ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଗଣେଶ୍ୱର ନାୟକ ଏହି ସୂଚନା ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବେକାର ଯୁବକ ଯୁବତୀ ମାନଙ୍କୁ ସାମ୍ପ୍ରତିକ ସ୍ଥିତିରେ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ କ୍ଷେତ୍ରରେ କର୍ମ ନିଯୁକ୍ତି ପ୍ରଦାନ ତଥା ସ୍ୱରୋଜଗାରକ୍ଷମ କରିବା ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବିଭିନ୍ନ ଯୋଜନାର ବ୍ୟାପକ କାର୍ଯ୍ୟକାରିତା ନେଇ ବିଶଦ ଆଲୋଚନା କରାଯାଇଥିଲା ।
ଜିଲ୍ଲାର ସମସ୍ତ ୧୩ଗୋଟି ବ୍ଲକରେ ପର୍ଯ୍ୟାୟକ୍ରମେ ପରାମର୍ଶ ମେଳା ଆୟୋଜନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ ସଦର ଓ ବାଂଶପାଳ ବ୍ଲକରେ ଯଥାକ୍ରମେ ୨୯ ଓ ୩୦ ଅକ୍ଟୋବରରେ ଏବଂ ଯୋଡ଼ା,ଚମ୍ପୁଆ, ଝୁମ୍ପୁରା, ପାଟଣା, ସାହାରପଡ଼ା, ତେଲକୋଇ, ହରିଚନ୍ଦନପୁର, ଘଟଗାଁ, ଘଷିପୁରା, ଆନନ୍ଦପୁର ଓ ହାଟଡିହି ବ୍ଲକରେ ଯଥାକ୍ରମେ ନଭେମ୍ବର ୧,୨,୪, ୫, ୬, ୭,୮,୧୧, ୧୨, ୧୩ ଓ ୧୪ରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ସେହିପରି ନଭେମ୍ବର ୨୬ ଓ ୨୭ ତାରିଖରେ କେନ୍ଦୁଝର ସ୍ଥିତ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ ।
ସେହିପରି କେନ୍ଦୁଝର ଜିଲ୍ଲା ଗସ୍ତ ବେଳେ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଜିଲ୍ଲାରେ ଅଧିକ ଆଇଟିଆଇ ଖୋଲିବା ନେଇ ଦେଇଥିବା ପରାମର୍ଶ ଉପରେ ଆଲୋଚନା କରାଯାଇ ଆବଶ୍ୟକୀୟ ପ୍ରାକ ପ୍ରସ୍ତୁତି ସମ୍ପନ୍ନ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ଆଲୋଚନା ହୋଇଥିଲା । ଜିଲ୍ଲାର ୧୮ରୁ ୩୫ ବର୍ଷୀୟ ଯୁବକ ଯୁବତୀ ମାନଙ୍କୁ ଯୁବ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କ ଯୋଜନା ନାନୋ ୟୁନିକର୍ନର ବ୍ୟାପକ ପ୍ରସାର କରାଯାଇ ଉପଯୁକ୍ତ ଯୁବକ ଯୁବତୀଙ୍କୁ ଏଥିରେ ଯୋଡ଼ିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା ।
ଜିଲ୍ଲା ପ୍ରଶାସନ ସହ ଚୁକ୍ତି ସ୍ଵାକ୍ଷର କରିଥିବା ବିଭିନ୍ନ ତାଲିମ ଓ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ମାନଙ୍କ ସଫଳତା ତର୍ଜମା କରାଯାଇଥିଲା ।
ଜିଲ୍ଲାର ଯୁବକ ଯୁବତୀଙ୍କୁ ବ୍ୟାପକ ତାଲିମ ଦେବା ସହ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଅନ୍ୟ ପ୍ରସ୍ତାବିତ ଯୋଜନା ବାବଦରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲାସ୍ତରର ଅଧିକାରୀ ବୃନ୍ଦ, ବୈଷୟିକ ତାଲିମ କେନ୍ଦ୍ରର ମୁଖ୍ୟ, ବିଭିନ୍ନ କମ୍ପାନୀର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seven + nine =