ଖୁବଶୀଘ୍ର ନୂଆ ରୂପ ପାଇବ ପଞ୍ଚତୀର୍ଥ ପୁଷ୍କରିଣୀ

0 71

ପୁରୀ : ଆଉ କିଛଦିନ ପରେ ନୂଆ ରୂପ ପାଇବ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ । ପବିତ୍ର ପଞ୍ଚତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି । ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ୱରେ ଭାଙ୍ଗି ଯାଇଥିବା ପାଚେରୀ ଗୁଡ଼ିକ ନିର୍ମାଣ କରାଯାଉଛି । ଖଣ୍ଡେଲାଇଟ୍‌ ପଥରରେ ନିର୍ମିତ ଏହି କାନ୍ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତି ଏବଂ ପର୍ବପର୍ବାଣୀ ଉତ୍ସବକୁ ପଥରରେ ଖୋଦେଇ କରି ଚିତ୍ର ଅଙ୍କାଯିବ । ସେହିପରି ତୀର୍ଥ ପୁଷ୍କରିଣୀର ପାହାଚ ଗୁଡ଼ିକ ମଧ୍ୟ ମରାମତି କରାଯାଉଛି । ଏହା ସହ ପୁଷ୍କରିଣୀର ଜଳକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱତନ୍ତ୍ର କେମିକାଲରେ ସଫେଇ କରାଯାଉଛି । ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ବସିବା ପାଇଁ ସୁନ୍ଦର ଉଦ୍ୟାନ, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଟଏଲେଟ୍‌ ଆଦି ନିର୍ମାଣ ହେଉଛି । ତେବେ ଏହି ନିର୍ମାଣ କାର୍ଯ୍ୟ ସରିବା ପରେ ପଞ୍ଚତୀର୍ଥ ପୁଷ୍କରିଣୀ ନୂଆ ରୂପ ପାଇବା ସହ ଏହାର ପୂର୍ବ ଗୌରବ ଫେରି ପାଇବ ବୋଲି ମଠ ମହନ୍ତ ମତ ରଖିଛନ୍ତି । ଡେରିରେ ହେଉ ପଛେ ରାଜ୍ୟ ସରକାର ପଞ୍ଚତୀର୍ଥ ପୁଷ୍କରିଣୀର ମହତ୍ତ୍ୱ ବୁଝି ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାରୁ ଜଗନ୍ନାଥ୍‌ ପ୍ରେମୀ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ପୁରୀରେ ଥିବା ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ଏବଂ ନରେନ୍ଦ୍ର ପୁଷ୍କରିଣୀକୁ ତୀର୍ଥ ପୁଷ୍କରିଣୀ ଭବେ ପୁରାଣରେ ବର୍ଣ୍ଣନା ରହିଛି । ବର୍ଷ ତମାମ ମହାପ୍ରଭୁଙ୍କ ବିଭିନ୍ନ ନିତୀ କାନ୍ତି, ପର୍ବ ପର୍ବାଣୀ ଏହି ତୀର୍ଥ ପୁଷ୍କରିଣୀ ମାନଙ୍କରେ ଅନୁଷ୍ଠିତ ହେଇଥାଏ । ଏଣୁ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନେ ପ୍ରଥମେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ଜଳ ସିଞ୍ଚନ କରି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ଏହା ଦ୍ୱାରା ଅନେକ ପୁଣ୍ୟ ମିଳିଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ତେବେ ଏହି ତୀର୍ଥ ପୁଷ୍କରିଣୀ ରକ୍ଷଣା ବେକ୍ଷଣ ଅଭାବରୁ ଜଳ ପ୍ରଦୂଷିତ ହେବା ସହ ପାହାଚ ଓ ଚାରିପାଖ ପାଚେରୀ ଭାଙ୍ଗି ଯାଇଥିଲା । ଆଲୋକ ବ୍ୟବସ୍ଥା ନ ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା । ଏବେ ଏହାର ପୁନରୁଦ୍ଧାର ନେଇ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ବେଳେ ଦ୍ରୁତ ଗତିରେ ଏହାର କାର୍ଯ୍ୟ ଚାଲିଥିବା ଜିଲ୍ଲାପାଳ କହିଛନ୍ତି ।
ପଞ୍ଚତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ପୂର୍ବରୁ ବହୁ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ପଞ୍ଚ ତୀର୍ଥ ପୁଷ୍କରିଣୀ ଅବହେଳିତ ଅବସ୍ଥାରେ ଥିଲା । ତେବେ ପୁଣିଥରେ ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ନେଇ ୭୬ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚତୀର୍ଥ ପୁଷ୍କରିଣୀର ସଠିକ୍‌ ରକ୍ଷଣାବେକ୍ଷଣ କରିବା ପାଇଁ ଜଗନ୍ନାଥ ପ୍ରେମି ଓ ଭକ୍ତ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × one =