ସିମନବାଡିରେ ପଞ୍ଚୁ ଦଣ୍ଡ ମିଳନ, ହଜାର ହଜାର ଭକ୍ତଙ୍କ ସମାଗମ

0 190

ଦାରିଙ୍ଗବାଡ଼ି:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ପ୍ରଥମ ଥର ପାଇଁ ବ୍ଲକରେ ପଞ୍ଚଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ମା’ ଦଣ୍ଡକାଳୀ ଓ ପାଞ୍ଚ ହରଙ୍କ ମହାମିଳନ ଯାତ୍ରା ଦେଖିବା ପାଇଁ ସିମନବାଡି ବଜାରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସିମନବାଡି ବଜାରରେ ଅନୁଷ୍ଠିତ ପଞ୍ଚୁ ଦଣ୍ଡ ଦଳ ମଧ୍ୟରେ ଗୁଞ୍ଜିବାଡ଼ି, ବାଲିଗାଡ଼ା, କରଣ୍ଡାଗଡ଼,କେଲେମାହା ଓ ଗ୍ରୀନବାଡି ଗ୍ରାମର ଦଣ୍ଡ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ଦଣ୍ଡ ଦଳକୁ ଗ୍ରାମବାସୀଙ୍କ ଦ୍ୱାରା ବରଣ କରାଯାଇଥିଲା । ଅପରାହ୍ନ ସାଢେ ୧ଟା ସମୟରେ ଧୂଳିଦଣ୍ଡ ଆରମ୍ଭ ହୋଇଥିଲା ବେଳେ ସନ୍ଧ୍ୟା ସମୟରେ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା । ଏହି ପଞ୍ଚୁ ଦଣ୍ଡଯାତ୍ରାର ମହାମିଳନକୁ ଦେଖିବା ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପଞ୍ଚ ଦଣ୍ଡନାଚ ରୁଷିପୁତ୍ର ତଥା ଦଣ୍ଡୁଆମାନେ ସକାଳେ ନିଜ ନିଜ ସ୍ଥାନରେ ପହଁଚି ବୀଣାକାର ଢୋଲ ଓ ମହୁରୀରର ତାଳେତାଳେ ଦଣ୍ଡନାଚର ସମସ୍ତ ବିଧିବିଧାନକୁ ସୁଲଳିତ ସ୍ୱରରେ ଗାନ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ପଞ୍ଚ ଦଣ୍ଡ ମିଳନରେ ଢୋଲିଆ ପାଟ ଭୁକତା ମହୁରିଆଙ୍କ ମିଳନ ହୋଇଥିବାବେଳେ ଶେଷରେ ପଞ୍ଚ ଦଣ୍ଡଙ୍କ ମିଳନ ଅନୁଷ୍ଠିତ ହୋଇଥିଲା । ଯାହାକୁ ହଜାର ହଜାର ଭକ୍ତ ଓ ଦର୍ଶକ ଏଭଳି ଦୃଶ୍ୟର ଉପଭୋଗ ନେଇଥିଲେ । ଅପରାହ୍ନରେ ଅନୁଷ୍ଠିତ ଧୂଳିଦଣ୍ଡରେ ଦଣ୍ଡୁଆଙ୍କ ବିଭିନ୍ନ କାଠୁରିଆ ନୃତ୍ୟ ଜଙ୍ଗଲ ସୁରକ୍ଷା ଏବଂ ଜନ୍ତୁ ସୁରକ୍ଷା ନେଇ ବାଘନାଟ, ବୀଣାକାର, ବିଲରେ ଧାନରୁଆ ଇତ୍ୟାଦି ବେଶ୍‌ ଆକର୍ଷିତ କରିଥିଲା । ମାନସିକଧାରୀ ଭକ୍ତ ରୁଣ୍ଡ ହୋଇ ପାଞ୍ଚ ମା’ ଦଣ୍ଡକାଳୀ ଓ ପାଞ୍ଚ ଶିବଙ୍କ ସାନିଧ୍ୟ ଲାଭ କରିଥିଲେ । ରାତିରେ ସମସ୍ତ ଦଣ୍ଡନାଚର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦର୍ଶକଙ୍କ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବା ନିମନ୍ତେ ଗ୍ରାମର ପଞ୍ଚୁ ଦଣ୍ଡ କମିଟିର ସଦସ୍ୟଙ୍କ ସମେତ ବହୁ ସଂଖ୍ୟାରେ ଯୁବ ସ୍ୱେଚ୍ଛାସେବୀ ଓ ଦାରିଙ୍ଗବାଡ଼ି ପୋଲିସ ନିୟୋଜିତ ହୋଇଥିଲେ । ପ୍ରଥମ ଥର ପାଇଁ ଦାରିଙ୍ଗବାଡି ବ୍ଲକରେ ଆଜି ପର୍ଯ୍ୟନ୍ତ ପଞ୍ଚୁଦଣ୍ଡ ପାଳନ ହୋଇନଥିବା ବେଳେ ପ୍ରଥମ ଥର ପାଇଁ ସିମନବାଡି ଗ୍ରାମରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାଇଭାରା ସହିତ ଏହି ପଞ୍ଚୁ ଦଣ୍ଡ ପାଳିତ ହୋଇଥିବାରୁ ଅଞ୍ଚଳବାସୀମାନେ ଖିସି ପ୍ରକାଶ କରିଛନ୍ତି ଏବଂ ଏଭଳି ଭାବେ ମାଁଙ୍କ ଆଶୀର୍ବାଦ ରହିଲେ ଆଗାମୀ ବର୍ଷ ଗୁଡିକରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ବୋଲି ପଞ୍ଚୁ ଦଣ୍ଡ କମିଟି ସଦସ୍ୟ ମାନେ ପ୍ରକାଶ କରିଛନ୍ତି । କମିଟି ସଭାପତି ଅରୁଣ ସାହୁଙ୍କ ସମେତ ଉପସଭାପତି ଜିତେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ, ସରୋଜ କୁମାର ସାହୁ, ବିନୋଦ କୁମାର ସାହୁ, ଅମୂଲ୍ୟ କୁମାର ସୁବୁଦ୍ଧି, ନାଗେଶ୍ୱର ରାଓ ସୁବୁଦ୍ଧି, ଅଶୋକ ବେହେରା, ଆଶୁତୋଷ ସାହୁ, ଗିରିସ ସାହୁ, ତରଣୀ ସାହୁ ,ରାକେଶ କୁମାର ସାହୁ , କେ.ମନୋବଧ ନାୟକଙ୍କ ସମେତ ଗ୍ରାମର ପରାମର୍ଶଦାତା ଓ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × two =