ବଡ଼ସାହିଠାରେ ତ୍ରିଦଣ୍ଡ ମିଳନ ଅନୁଷ୍ଠିତ

0 60

ଘୁ.ଉଦୟଗିରି: ଚୈତ୍ର ମାସ ମାଁ ରୁଦ୍ରକାଳୀଙ୍କ ମେରୁ ପର୍ବର ୯ ଦିନର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଘୁ.ଉଦୟଗିରି ବଡ଼ସାହି ଦଣ୍ଡଯାତ୍ରା କମିଟି ତରଫରୁ ତ୍ରିଦଣ୍ଡ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଦଣ୍ଡ ଯାତ୍ରାର ତ୍ରିଦଣ୍ଡ ମିଳନ ଉତ୍ସବରେ କନ୍ଧମାଳ ଜିଲ୍ଲା ସଲାଗୁଡା, ଶିର୍କାକୁଟି ଓ ବାଳୀସୁଗ୍ରୀ ଗ୍ରାମର ଦଣ୍ଡ ଠାକୁରାଣୀ ଅଂଶଗ୍ରହଣ କରିଥିଲେ । ସକାଳ ୯ ଘଣ୍ଟିକା ସମୟରେ ଆୟୋଜକ ଦଣ୍ଡ ଯାତ୍ରା କମିଟି ତରଫରୁ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ଠାରେ ୩ଟି ଯାକ ଦଣ୍ଡ ଠାକୁରାଣୀମାନଙ୍କୁ ବିଧିବଦ୍ଧ ଅନୁସାରେ ପୂଜାର୍ଚ୍ଚନା କରି ବରଣ କରାଯାଇ ବଡ଼ସାହି ଅସ୍ଥାୟୀ ପୂଜା ସ୍ଥଳକୁ ଅଣାଯାଇଥିଲା । ଅପରାହ୍ନରେ ଧୂଳି ଦଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ସନ୍ଧ୍ୟା ସମୟରେ ନିକଟରେ ଥିବା ବେହେରା କଲୋନୀ ସ୍ଥିତ ପୋଖରୀ ଜଳ ତୋଠ ।ରେ ପାଣିଦଣ୍ଡ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଫେରି ସମସ୍ତ ୩ ଦଣ୍ଡ ଥଳର ୩ ଝୁଣା ଦଣ୍ଡ , ପରଭାକାଠି, ପାଟ ଢୋଲ, ଗୌରିବେତ, ଚମ୍ପାବର, ଅଧିକାରୀ, ପାଟ ଭୁକୁତାଙ୍କ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆଳତି କରାଯାଇଥିଲା । ରାତି ୧୧ ପରେ ଏକ ଓଳା ପ୍ରସାଦ ସେବନ ପରେ ରାତିରେ ଝୁଣା ଓ ଅଗ୍ନି ଦଣ୍ଡ ଖେଳ ସହ ମାଁ ରୁଦ୍ରକାଳୀଙ୍କ ନୃତ୍ୟ ଅନୁଷ୍ଠିତ ହେବା ପରେ ପରମ୍ପରା ଅନୁଯାୟୀ ଦଣ୍ଡ ଯାତ୍ରା ସମ୍ବନ୍ଧୀୟ ଚରିତ୍ର ଗୁଡ଼ିକୁ ନାଟ୍ୟ ମାଧ୍ୟମରେ ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ପ୍ରବଳ ଘଡ଼ ଘଡ଼ି ସହ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ କିଛି ସମୟ ନାଟ କାର୍ଯ୍ୟକ୍ରମ ବନ୍ଦ ରହିଥିଲା ଓ ବର୍ଷା ଛାଡ଼ିଲା ପରେ ପୁଣି କାର୍ଯ୍ୟକ୍ରମ ଚାଲିଥିଲା । ବଡ଼ସାହି ତ୍ରିଦଣ୍ଡ ମିଳନ କାର୍ଯ୍ୟକ୍ରମରେ ଆୟୋଜକ ଦଣ୍ଡ କମିଟିର ସମସ୍ତ କର୍ମକର୍ତ୍ତା ଓ ସାହି ବାସିନ୍ଦା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

nine + 1 =