ବାଲିଗୁଡ଼ା: ମାଓ ପ୍ରବଣ ଅଞ୍ଚଳରେ ଦୀର୍ଘ ଆଠ ବର୍ଷ ପରେ ପୁଣି ଖୋଲିଲା ପୋଲିସ୍ ଫାଣ୍ଡି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମରେ ଏସପି ହରିଶ ବିଶି ଥାନା ଫାଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ବହୁ ବର୍ଷ ପୂର୍ବରୁ ବୁଡାଗୁଡ଼ା ଠାରେ ପୋଲିସ୍ ଫାଣ୍ଡି ଥିଲା । କିନ୍ତୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ବିଭାଗର ନିଷ୍ପତ୍ତି କ୍ରମେ ଏହି ପୋଲିସ୍ ଫାଣ୍ଡି ଦୀର୍ଘ ଆଠ ବର୍ଷ ଧରି ବନ୍ଦ ରହିଥିଲା । ପୁନର୍ବାର ଏଠାରେ ପୋଲିସ୍ ଫାଣ୍ଡି ଖୋଲିବା ପାଇଁ ଦୀର୍ଘ ଦିନରୁ ଅଞ୍ଚଳବାସୀ କନ୍ଧମାଳ ଏସପିଙ୍କ ନିକଟରେ ଦାବି କରିଆସୁଥିଲେ । ଏହାର ପୁନର୍ବିଚାର କରି ଅଞ୍ଚଳବାସୀଙ୍କ ସୁରକ୍ଷା ଓ ସମସ୍ୟାକୁ ଦୃଷ୍ଟିରେ ରଖି ବୁଡାଗୁଡ଼ା ଠାରେ ପୁନର୍ବାର ପୋଲିସ୍ ଫାଣ୍ଡି ଖୋଲାଯାଇଥିବା କହିଛନ୍ତି କନ୍ଧମାଳ ଏସପି ହରିଶ ବିଶି । ବର୍ତ୍ତମାନ ଏହି ଫାଣ୍ଡିରେ ଜଣେ ଏଏସ୍ଆଇ ଙ୍କୁ ଫାଣ୍ଡି ଅଧିକାରୀ ଭାବେ ନିୟୋଜିତ କରାଯାଇଥିବା ବେଳେ ଏକ ପ୍ଲାଟୁନ୍ OSSF ପୋଲିସ୍ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି । ଏହି ଅବସରରେ ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ୍ ସ୍ବାଇଁ ଉପସ୍ଥିତ ରହି ଅଞ୍ଚଳର ସମସ୍ୟା ପ୍ରତି ଗୁରୁତ୍ବ ଦିଆଯିବ, ପୋଲିସ୍ ସବୁବେଳେ ଜନସାଧାରଣଙ୍କ ସାଥିରେ ଅଛି ବୋଲି ଅଞ୍ଚଳବାସୀଙ୍କୁ କହିଥିଲେ । ସେପଟେ ବିଳମ୍ବ ହେଲେ ମଧ୍ୟ ଆମ ଆବଶ୍ୟକତାକୁ ହୃଦୟଙ୍ଗମ କରିଛି କନ୍ଧମାଳ ପୋଲିସ୍ । ଏଠାରେ ପୁନର୍ବାର ପୋଲିସ୍ ଫାଣ୍ଡି ଆରମ୍ଭ ହୋଇଛି । ଯାହା ଫଳରେ ଆମ ଅଞ୍ଚଳର ଅନେକ ସମସ୍ୟା ସୁଧୁରିବ ଏବଂ ପୋଲିସ୍ ଆମକୁ ସହଯୋଗ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ ।
