ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପର୍ଯ୍ୟଟନ ସ୍ଥଳୀ ତଥା ପୂଣ୍ୟକ୍ଷେତ୍ର ହରିଶଙ୍କର ଠାରେ ଥିବା ଡିଅର ପାର୍କକୁ ସେଣ୍ଟ୍ରାଲ ଜୁ ଅଥୋରିଟୀ ସଦସ୍ୟ ଅବସର ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଡ. ଏସ କେ ସିଂ ଗସ୍ତ କରିଥିଲେ । ଏହି ଅବସରରେ ଡିଅର ପାର୍କର ଭିତ୍ତିଭୂମି ହରିଣଙ୍କ ଖାଇବା ବ୍ୟବସ୍ଥା ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଉପରେ ଦେଖିବା ସହ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଡିଅର ପାର୍କରେ ଆବଶ୍ୟକଠାରୁ ଅଧିକ ହରିଣ ଥିବାରୁ ଏହାକୁ ସମ୍ପ୍ରସାରଣ କରାଯିବା ସହ ଆବଶ୍ୟକ ପଡିଲେ ଜଙ୍ଗଲକୁ କିଛି ହରିଣଙ୍କୁ ଛାଡ଼ିବା ପାଇଁ ପଦକ୍ଷେପ ନିଆଯିବା ନେଇ ଆଲୋଚନା ହୋଇଥିବା ଜଣାଯାଇଛି । ଗସ୍ତ ଅବସରରେ ବଲାଙ୍ଗିର ଏସିଏଫ୍ ବାବାଜୀ ଚରଣ ରାଉଳ, ହରିଶଙ୍କର ରେଞ୍ଜର ଗିରିଧାରୀ ନାଗ, ବନପାଳ ଅରବିନ୍ଦ ଧରୁଆ, ଘାସିରାମ ଦୀକ୍ଷିତ, ସୁଧୀର ଜେନା ପ୍ରମୁଖ ବନ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଡିଅର ପାର୍କଟି ଏକ ଏକର ୭୫ ଡିସିମିଲ ଜାଗାରେ ଥିବା ବେଳେ କିଛି ଦିନ ତଳେ ଏକ ଏକର ୫୦ ଡେସିମିଲ ଜାଗା ସମ୍ପ୍ରସାରିତ ହେଇଛି । ମୋଟ ତିନି ଏକର ୨୫ ଡେସିମିଲ ଜାଗାରେ ରହିଛି । ପାର୍କରେ ୪୬୬ ଟି ହରିଣ ଥିବା ଜଙ୍ଗଲ ବିଭାଗ ତରଫରୁ ଜଣା ପଡିଛି । ଏନେଇ ହରିଶଙ୍କର ରେଞ୍ଜର ଗିରିଧାରୀ ନାଗଙ୍କୁ ପଚାରିବାରୁ ସେଣ୍ଟ୍ରାଲ ଜୁ ଅଥୋରିଟୀ ଡିଅର ପାର୍କ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିବା କହିଛନ୍ତି ।