ଅଜଣା ରୋଗରେ ପୀଡ଼ିତ ମିନାକ୍ଷୀଙ୍କର ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ହୋଇଛି ବାଧକ

0 225

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଂଚାୟତ କେନ୍ଦୁପାଲି ଗ୍ରାମର ରାଜୁ ମେହେରଙ୍କ ସ୍ତ୍ରୀ ମିନାକ୍ଷୀ ମେହେର (୨୮) ଗତ ୭ ବର୍ଷ ଆଗରୁ ତାଙ୍କର ଗୋଡ଼ ଦରଜ ହେବା ଆରମ୍ଭ ହୋଇଥିଲା । ବାରମ୍ବାର ଉକ୍ତ ଗୋଡର ସେ ଚିକିତ୍ସା କରାଇଥିଲେ ହେଁ ଦିନକୁ ଦିନ ଦରଜ କମିବା ପରିବର୍ତ୍ତେ ବଢ଼ିବାକୁ ଲାଗିଲା । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ ମଧ୍ୟ କରାଇଥିଲେ କିନ୍ତୁ କିଛି କାମ ଦେଲାନି । ଅପରେସନ ପରେ ମଧ୍ୟ ଅଧିକ ଦରଜ ବଢ଼ିବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇ ବିଭିନ୍ନ ଜାଗାରୁ ଧାର କରଜ କରାଇ ଅନ୍ୟୁନ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କଲେଣି ସିନା ହେଲେ ମିନାକ୍ଷୀଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନାହିଁ । ତାଙ୍କର ପରିବାର ଅତ୍ୟନ୍ତ ଗରିବଶ୍ରେଣୀର ହୋଇଥିବା ଯୋଗୁଁ ତଥା ସେମାନେ ବୁଣାକାର ପରିବାର ହେବାକାରଣରୁ ମିନାକ୍ଷୀ ମଧ୍ୟ ତାଙ୍କୁ ବୁଣାକାମରେ କିଛି ସହଯୋଗ କରିପାରୁନଥିବା ହେତୁ ବୁଣାକାମ ମଧ୍ୟ ସେମାନେ ଆଉ କରିପାରୁନାହାନ୍ତି । ଅପରପକ୍ଷରେ ତାଙ୍କ ପରିବାରର ରେସନ କାର୍ଡ଼ରେ ମିନାକ୍ଷୀଙ୍କର ନାମ ନଥିବା ହେତୁ ସିଧାସଳଖ ସେମାନେ ବିଜୁସ୍ୱାସ୍ଥ୍ୟ କାର୍ଡ଼ରେ ମଧ୍ୟ କିଛି ସୁବିଧା ପାଇପାରୁନାହାନ୍ତି । ଏବେ ସବୁଠାରୁ ନିରାଶ ହୋଇ ଆସନ୍ତା ୨୪ ତାରିଖ ଦିନ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସା ପାଇଁ ତାଙ୍କର ସମୟ ଧାର୍ଯ୍ୟ ହୋଇଛି, ହେଲେ ପାଖରେ ପଇସା ପତ୍ର କିଛି ନ ଥିବାରୁ ସେ ନିଜକୁ ଅତି ଅସୁରକ୍ଷିତ ମଣି ଶେଷରେ ସୁବର୍ଣ୍ଣପୁରର ବୁଢ଼ାରଜା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସହାୟତା ପାଇଁ ଜଣାଇଥିଲେ । ଆଜି ବୁଢ଼ାରଜା ଯୁବ ସମାଜସେବୀ ସଙ୍ଗଠନର ଏକ ୩ ଜଣିଆ ଟିମ୍‌ ତାଙ୍କ ଗ୍ରାମକୁ ଯାଇ ତାଙ୍କସହ ଆଲୋଚନା କରି ପ୍ରଥମତଃ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଆମ୍ବୁଲାନ୍ସ ଦ୍ୱାରା ମିନାକ୍ଷୀଙ୍କୁ ଭୁବନେଶ୍ୱର ଏମ୍ସକୁ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ତଥା ତାଙ୍କର ଉଚ୍ଚ ଚିକିତ୍ସାରେ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଉକ୍ତ ପରିବାରକୁ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି । ବିଶେଷ କରି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 1 =