୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବଜାର ଘର କାର୍ଯ୍ୟକ୍ଷମ ହେବ କେବେ?

0 121

ପାରଳାଖେମୁଣ୍ଡି : ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ପାରଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳରେ ଏକ ମାତ୍ର ପରିବା ବଜାର ରହିଛି । ଦିନକୁ ଦିନ ପାରଳାଖେମୁଣ୍ଡି ସହରର ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ଏହା ଉପରେ ସମସ୍ତେ ନିର୍ଭରଶୀଳ । ତେଣୁ ଏହି ଅଞ୍ଚଳରେ ଟ୍ରାଫିକ ଠାରୁ ଆରମ୍ଭ କରି ପାର୍କିଂ ଆଦି ବିଭିନ୍ନ ସମସ୍ୟା ଦେଖା ଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ହାଟ ପଦା ଠାରେ ଥିବା ସରକାରୀ ଜମିରେ ନୂତନ ବଜାର ନିର୍ମାଣ ପାଇଁ ପୌର ପରିଷଦ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବଜାର କାମ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ହେଲେ ସେ ସ୍ଥାନରେ ଦୀର୍ଘ ବର୍ଷ ଧରି ଦୋକାନ କରି ଚଳୁଥିବା ଏବଂ ସପରିବାର ଘର କରି ରହୁଥିବା ଗରିବ ଲୋକେ ପ୍ରବଳ ବିରୋଧ କରିଥିଲେ । ସେହି ସମୟରେ ବିରୋଧ କରୁଥିବା ଲୋକଙ୍କୁ ୩ ମାସ ମଧ୍ୟରେ ଏହି କାମ ସାରିବା ସହ ଯେଉଁମାନେ ଏଠାରେ ରହୁଥିଲେ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ନୂତନ ଭାବେ ନିର୍ମାଣ ହୋଇଥିବା ଦୋକାନ ଘର ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏବେ କାମ ସରିବାର ୪ ବର୍ଷ ବିତି ସାରିଥିଲେ ମଧ୍ୟ ଆଜି ଯାଏଁ ସମ୍ପୃକ୍ତ ବଜାର ଗୃହ ଆବଣ୍ଟନ ହୋଇ ପାରିଲା ନାହିଁ । ଫଳରେ ଲୋକେ ନିଜର ରୋଜଗାର ହରାଇବା ସହ ବାସ ମଧ୍ୟ ହରାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଏ ପରିତ୍ୟକ୍ତ ସ୍କୁଲ ଘରେ ଆଶ୍ରୟ ନେଉଛି ତ କିଏ ଭଡା ଘରେ ରହି ହଇରାଣ ହେଉଛନ୍ତି । ତୁରନ୍ତ ସେମାନଙ୍କୁ ଏହି ନୂତନ ଭାବେ ନିର୍ମିତ ଘର ଯୋଗାଇବା ପାଇଁ ପୌର ପରିଷଦ ଅଧିକାରୀଙ୍କୁ ବାରମ୍ବାର ଭେଟି ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି । ନୂତନ ବଜାର ସୃଷ୍ଟି ପାଇଁ ପୌର ପରିଷଦ ଯେଉଁ ପରିକଳ୍ପନା ଥିଲା ତାହା ଆଜି ଯାଏଁ ପୂରଣ ହୋଇ ପାରିଲା ନାହିଁ । ଦୀର୍ଘ ବର୍ଷ ହେଲା ନିର୍ମାଣ ହୋଇ ସାରିଥିଲେ ମଧ୍ୟ ଏହି ଦୋକାନ ଗୃହ ଆବଣ୍ଟନ କରାଗଲା ନାହିଁ କି ପରିବା ବଜାର ସୃଷ୍ଟି କରାଯାଇ ପାରି ନାହିଁ । ଫଳରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଥିବା ଏହି ବଜାର ଗୃହ ଗାଈ ଗୁହାଳରେ ପରିଣତ ହୋଇଥିବା ବେଳେ ପରିବା ବଜାର ପାଇଁ ଉଦ୍ଧିଷ୍ଟ ସ୍ଥାନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି । ଯାହାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କୋଭିଡ ପାଇଁ କାମ ହୋଇ ପାରିନାହିଁ ।ଏବେ ଏହି ସମସ୍ୟା ସରିଥିବା ବେଳେ ତୁରନ୍ତ ଘର ଆବଣ୍ଟନ ସହ ନୂତନ ବଜାର ସୃଷ୍ଟି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ୭୦ ଲକ୍ଷ ବ୍ୟୟରେ ନିର୍ମାଣ ହୋଇ ଥିବା ବଜାର ଗୃହ ଏବେ କାମରେ ଆସୁନି ଲୋକଙ୍କୁ ଘର ଦେବା ପ୍ରତିଶୃତି ପାଣିରଗାର ହୋଇଛି । ସେପଟେ ସେହି ପଡ଼ିଆରେ ହେଉଥିବା ସାପ୍ତାହିକ ହାଟ ରାସ୍ତା ଉପରକୁ ଉଠି ଆସିଛି । ଯାହା ଫଳରେ ସମସ୍ୟା ବଢ଼ିବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

14 − 4 =