କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ, ଦୁଇମାସ ଧରି ଧାରଣାରେ ବସିଛନ୍ତି ଗ୍ରାମବାସୀ

0 222

ଦଶପଲ୍ଲା : – ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧିଗ୍ରହଣ ପ୍ରକିୟା ଶେଷ ହେବାର ନାଁ ଧରୁ ନାହିଁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବୁଗୁଡା କଲୋନୀ ଗ୍ରାମର ୫୦ ଜଣ ଆଦିବାସୀ ଚାଷୀଙ୍କ ଚାଷ ଜମି ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରଖାଯାଇଛି । ଜମି ବାବଦ ସହାୟତା ରାଶି ସେମାନଙ୍କୁ ମିଳିବ ନାଁ ନାହିଁ ତାହା ମଧ୍ୟ ତାଙ୍କୁ ସୂଚନା ଦିଆଯାଉନାହିଁ । ଭୂଅର୍ଜନ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ ବିଗତ ଦିନରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବୁଗୁଡା କଲୋନୀର ୫୦ ପରିବାର । ୧୯୫୫ ମସିହାରେ ଆଖପାଖ ଜଙ୍ଗଲ ମଧ୍ୟରେ ଜୀବନ ବିତାଉଥିବା ଆଦିବାସୀଙ୍କୁ ସମାଜର ମୁଖ୍ୟ ସୋତ୍ରରେ ସାମିଲ କରିବା ପାଇଁ ତତ୍କାଳୀନ ପୁରୀ ଜିଲ୍ଲା ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଉଦ୍ୟମ ଆରମ୍ଭ କରିଥିଲେ । ଜଙ୍ଗଲରେ ବଞ୍ଚୁଥିବା ଆଦିବାସୀଙ୍କୁ ସରକାରଙ୍କ ସୁବିଧା ଓ ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ନୟାଗଡ-ବୌଦ୍ଧ ରାସ୍ତା କଡରେ ବୁଗୁଡା କଲୋନୀ ସ୍ଥାପନ କରାଗଲା । ଟାକେରା ପଞ୍ଚାୟତ ଅଧିନରେ ୨୫ଟି ଘର, କୂଅ ନିର୍ମାଣ କରାଯିବା ସହ ଆଦିବାସୀଙ୍କୁ ଚାଷବାସ କରିବାକୁ ସରକାର ଜମି ଯୋଗାଇ ଦେଇଥିଲେ । ଆଦିବାସୀ ୨୫ ପରିବାର ପାଇଥିବା ଚାଷଜମି ବାବଦରେ ଜଙ୍ଗଲ ଜମି ଅଧିକାର ପ୍ରମାଣ ପତ୍ର ମଧ୍ୟ ମିଳିଛି । ୨୫ ପରିବାରରୁ ଆରମ୍ଭ ହୋଇଥିବା ବୁଗୁଡା କଲୋନୀ ୬୫ ବର୍ଷ ଏହି ସ୍ଥାନରେ ବାସ କରୁଥିବା ବେଳେ ପରିବାର ସଂଖ୍ୟା ୫୦ ହୋଇଥିବା ସୂଚନା ମିଳିଛି । ଗ୍ରାମକୁ ଲାଗି ରହିଥିବା ଚାଷ ଜମିରେ ଧାନ, ବାଇଗଣ, କଲରା, ପୋଟଳ ଚାଷ କରି ବୁଗୁଡା କଲୋନୀ ବାସିନ୍ଦା ସୁଖ ଓ ସ୍ୱାଚ୍ଛ୍ୟନ୍ଦରେ ଜୀବନ ବିତାଉଥିଲେ । ରେଳପଥ ନିର୍ମାଣ ପାଇଁ ଗ୍ରାମର ୭୦ ପ୍ରତିଶତ ଚାଷ ଜମି ଚାଲି ଯାଉଥିବା ବେଳେ ଗ୍ରାମବାସୀଙ୍କୁ ଜମି ଅଧିଗ୍ରହଣ ଅଧିକାରୀ କିମ୍ବା ତହସିଲ ପକ୍ଷରୁ କୌଣସି ନୋଟିସ କରାଯାଇନାହିଁ । ସହାୟତା ଅର୍ଥ ସେମାନଙ୍କୁ ମିଳିବ ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ଆଦିବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରତ୍ୟୁତ୍ତର ପାଇ ନାହାନ୍ତି । ନୟାଗଡରେ ଥିବା ରେଳପଥ ଜମି ଅଧିଗ୍ରହଣ କାର୍ଯ୍ୟାଳୟକୁ ବାରମ୍ବାର ଆସିଲେ ମଧ୍ୟ ଅଧିକାରୀଙ୍କୁ ଦେଖା ମିଳୁନାହିଁ । ୬୫ ବର୍ଷ କାଳ ଜମିର ମାଲିକ ସାଜିଥିବା ବେଳେ ଆଜି ସେମାନଙ୍କ ଭାତ ହାଣ୍ଡି ବିପଦରେ ବୋଲି ଗ୍ରାମର ନିତ୍ୟାନନ୍ଦ ପ୍ରଧାନ, ପ୍ରମୋଦ କୁମାର ଜାନୀ, ନିରଞ୍ଜନ କଅଁର, ପରମାନନ୍ଦ ମଲ୍ଲିକ, ନେତ୍ରାନନ୍ଦ ମଲ୍ଲିକ, ପ୍ରସନ୍ନ କୁମାର ଜାନୀ, ସରୋଜ କୁମାର ଜାନୀ ପ୍ରମୂଖ ଆଜି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଯଥାଶ୍ରୀଘ୍ର ସମସ୍ୟା ସମାଧାନ ପୂର୍ବକ କ୍ଷତିଗ୍ରସ୍ତ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆ ନଗଲେ ଦୁଇମାସ ଧରି ଚାଲିଥିବା ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍‌ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି । ଆନ୍ଦୋଳନକାରୀ ଆଦିବାସୀ ମାନେ ପାରଂପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନିଜ ଗ୍ରାମ ସୀମା ସରହଦରେ ଚାଲିଥିବା ରେଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ଗ୍ରାମବାସୀମାନେ ଚେତାବନୀ ମଧ୍ୟ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =