ସରକାରୀ ଡ୍ୟୁଟି ଛାଡ଼ି କ୍ଲିନିକ ସେବାରେ ବ୍ୟସ୍ତ ଡାକ୍ତର,ଘଣ୍ଟା ଘଣ୍ଟା ଧରି ଗରମରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ

0 263

କଣ୍ଟାବାଞ୍ଜି : ଲୋକଙ୍କୁ ସୁବିଧାରେ ସବୁ ପ୍ରକାର ସମ୍ଭାବ୍ୟ ଚିକିତ୍ସା ସେବା ଯୋଗାଇଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିଶେଷକରି, ସରକାରୀ ଡାକ୍ତରଖାନାଗୁଡ଼ିକରେ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ,ତାହାକୁ ସୁନିଶ୍ଚିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କିନ୍ତୁ ତାହାକୁ ଠିକଭାବରେ କାର୍ଯ୍ୟକାରୀ କରାଯାଉ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ସେମାନଙ୍କ ସଂପର୍କୀୟ । ଅଧିକାଂଶ ସରକାରୀ ହସପିଟାଲରେ ଅବ୍ୟବସ୍ଥା ହିଁ ଅବ୍ୟବସ୍ଥା । କେଉଁଠି ଆବଶ୍ୟକ ମେସିନ,ଉପକରଣ,ସେବା ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ଡାକ୍ତର ଓ କର୍ମଚାରୀଙ୍କ ଦୁର୍ବ୍ୟବହାର । ସେହିପରି,କେତେକ ସରକାରୀ ହସପିଟାଲରେ ଡ୍ୟୁଟି ସମୟରେ କିଛି ଡାକ୍ତର ହସପିଟାଲକୁ ନଆସି ଘରୋଇ ହସପିଟାଲ ତଥା କ୍ଲିନିକରେ ବ୍ୟସ୍ତ ରହୁଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସେ ଦିଗରେ ତ୍ୱରିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଲୋକେ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ଲୋକେ ଅପେକ୍ଷା କରି ଶେଷରେ ଫେରିଯାଉଥିବାର ଅଜସ୍ର ଉଦାହରଣ ରହିଛି । ଏହିଭଳି ଅବ୍ୟବସ୍ଥା ଏବଂ ଅବହେଳା ଓ ଦାୟିତ୍ୱହୀନତାର ଅନ୍ୟ ଏକ ଦୃଷ୍ଟାନ୍ତ ହେଉଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା । ଏଠାରେ ଅବ୍ୟବସ୍ଥାର ସୀମା ନାହିଁ । ଡାକ୍ତର ଓ ନର୍ସ ତଥା କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ନେଇ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଶୂନ । ଏପରି କି,ମୂଳ ସରକାରୀ ଡ୍ୟୁଟି ଛାଡ଼ି କିଛି ଡାକ୍ତର ଡ୍ୟୁଟି ସମୟରେ କ୍ଲିନିକରେ ବ୍ୟସ୍ତ ରହୁଥିବା ନେଇ ଏବେ ଗୁରୁତର ଅଭିଯୋଗ ଆସିଛି ।
ପାଞ୍ଚ ନମ୍ବର ୱାଡର଼୍ର ରମେଶ ଜୈନ ନାମକ ଜଣେ ବ୍ୟକ୍ତି ନିକଟରେ ତାଙ୍କ ଧର୍ମପତ୍ନୀକୁ ନେଇ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ଆସିଥିଲେ ସକାଳ ୧୦ଟା ୩୦ରେ । ତେବେ ଡାକ୍ତରଙ୍କ ଦେଖାଦର୍ଶନ ନଥିଲା । ରମେଶଙ୍କ ଭଳି ଅନ୍ୟ ଲୋକମାନେ ମଧ୍ୟ ଅପେକ୍ଷାରେ ଥିଲେ । ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହୋଇ ଦୀର୍ଘ ଘଣ୍ଟେଏରୁ ଅଧିକ ସମୟ ପ୍ରତୀକ୍ଷା ପରେ ଡାକ୍ତର ପହଞ୍ଚିଥିଲେ । ନର୍ସଙ୍କୁ ପଚାରିବାରୁ ୱାର୍ଡ ନଂ ୪ରେ ଏକ କ୍ଲିନିକରେ ବ୍ୟସ୍ତ ରହିଥିବା କଥା ଜଣାଇଥିଲେ । ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ନେଇ ରୋଗୀ ଓ ସଂପର୍କୀୟମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଡାକ୍ତରମାନେ ତାହାର ଫାଇଦା ଉଠାଇଉନ୍ତି ବୋଲି ଅଭିଯୋଗ ହେଉଛି । ସରକାରୀ ହସପିଟାଲମାନଙ୍କରେ ଅଭିଯୋଗ ବାକ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ ନାହିଁ । ଯଦିବା କେଉଁଠି ବ୍ୟବସ୍ଥା ଅଛି,ତାହା କାର୍ଯ୍ୟକାରୀ ହେଉ ନାହିଁ । ଅଭିଯୋଗ ଅନୁଧ୍ୟାନ କରାଯାଉ ନାହିଁ । ଅଭିଯୋଗ ସେମିତି ବାକ୍ସରେ ପଡ଼ି ରହୁଛି । କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ଦୀର୍ଘ ଦିନ ଧରି ନାନା ସମସ୍ୟା ଲାଗି ରହିଥିଲେ ହେଁ ତାହାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି । ଫଳତଃ ଲୋକଙ୍କ ଯନ୍ତ୍ରଣା ବଢି ବଢି ଚାଲିଛି । ନିୟମ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଡାକ୍ତରମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଅଂଚଳର ଲୋକେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × three =