ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସୁରକ୍ଷା ସହ ସେବା ଯୋଗାଇବ ପୁଲିସ : ଡିଜିପି

0 86

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସମଗ୍ର ସୁରକ୍ଷା ବ୍ୟବସ୍ଥା ୫ ଭାଗରେ ବିଭକ୍ତ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସେବାକୁ ପ୍ରାଥମିକତା ଦିଆଯାଇଛି । ଆଜି ପୁରୀ ପୌର ସଦନରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ବୋଧିତ କରି ପୋଲିସ ଡିଜି ସୁନୀଲ ବଂଶଲ ଏହା କହିଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ସ୍ୱତନ୍ତ୍ର ପ୍ଲାନ୍‌ ସହ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜଳ,ସ୍ଥଳ ଓ ଆକାଶ ମାର୍ଗରୁ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯିବ । ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ତୀକ୍ଷ୍‌ଣ ନଜର ରଖାଯିବ । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ୧୦ ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏଡିଜି, ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଭକ୍ତଙ୍କ ସୁରକ୍ଷା,ଶୃଙ୍ଖଳିତ ଦର୍ଶନ ଓ ପୋଲିସ ସେବା ମନୋଭାବ ନେଇ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଆଯାଇଛି । ରେଳବାଇ ଓ ତଟ ସୁରକ୍ଷା ସହ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେହିପରି ପହଣ୍ଡି,ର ଥଟଣା, ଜନଗହଳି ନିୟନ୍ତ୍ରଣ, ଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ବଛା ବଛା ୧୦୦୦ ଅଧିକାରୀ ମୁତୟନ ହେବେ ।
ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ କରାଯିବ । ବଡଦାଣ୍ଡକୁ ୧୦ଟି ଜୋନ ଓ ୨୯ଟି ସେକ୍ଟରର ବ୍ୟବସ୍ଥା କରାଯିବ । ସମଗ୍ର ଟ୍ରାଫିକ ବ୍ୟବସ୍ଥା ଚାରିଭାଗରେ ବିଭକ୍ତ କରାଯିବ, କଣ୍ଟ୍ରୋଲ ରୁମ ମାଧ୍ୟମରେ ଟ୍ରାଫିକ ବ୍ୟବସ୍ଥାର ନିୟନ୍ତ୍ରଣ କରାଯିବ । ନବଯୌବନ ଦର୍ଶନ ଓ ରଥଯାତ୍ରା,ସନ୍ଧ୍ୟା ଦର୍ଶନ ଓ ବାହୁଡା଼ ଯାତ୍ରା, ସୁନାବେଶ ଓ ରଥର ଅନ୍ୟ ଦିନ ମାନଙ୍କରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯିବ ବୋଲି ଡିଜିପି କହିଛନ୍ତି । ଆଜିର ଏହି ସମୀକ୍ଷା ବୈଠକରେ ଆଇଜି ଅମିତାଭ ଠାକୁର,ଆଇନ୍‌ ଶୃଙ୍ଖଳା ଆଇଜି ଆର.କେ.ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ଏସପି କେ.ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five × two =