ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଆଲୋଚନା ଚକ୍ର

0 53

ନବରଙ୍ଗପୁର : ଶନିବାର ପୂର୍ବାହ୍ନରେ ନବରଙ୍ଗପୁର ବ୍ଳକ୍‌ ଅନ୍ତର୍ଗତ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ପକ୍ଷରୁ ନବରଙ୍ଗପୁରର ସରସ୍ୱତୀ ଶିଶୁ ମନ୍ଦିରରେ ଆଶ୍ରମ ଅଧ୍ୟକ୍ଷ ଡ଼. ନୀଳ କଣ୍ଠ ପାଢ଼ୀଙ୍କ ପରିଚାଳନା ଓ ଡ଼ା. ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଶୀର୍ଷକରେ ଏକ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୋଗଦେଇ ବିଶ୍ୱ ସଂସ୍କୃତ ସଂଗଠନ ତଥା ଲୋକ ଭାଷା ପ୍ରଚାର ସମିତିର ଅଧ୍ୟକ୍ଷ ଡ଼. ସଦାନନ୍ଦ ଦୀକ୍ଷିତ ଦେଶର ଶିକ୍ଷା ଓ ସାମାଜିକ ସଂସ୍କାର କ୍ଷେତ୍ରରେ ଭାରତର ଦିବ୍ୟ-ଭବ୍ୟ ସଂସ୍କୃତି ଓ ପରମ୍ପରା ଏବଂ ସଂସ୍କୃତ ଭାଷାର ମହତ୍ତ୍ୱ ତଥା ପ୍ରତି ଜିଲ୍ଲାରେ ବୈଦିକ ବିଦ୍ୟାପୀଠ ପ୍ରତିଷ୍ଠା ବିଷୟରେ ବିଶଦ ଉଦବୋଧନ ଦେଇଛନ୍ତି ।
ମୁଖ୍ୟବକ୍ତା ଶ୍ରୀ ଜଗନ୍ନାଥ ଶତପଥୀ ଭାରତୀୟ ସଂସ୍କୃତି ଓ ପରମ୍ପରାଗତ ସଂସ୍କାରଗୁଡିକରେ ଭାଗବତ ଟୁଙ୍ଗିମାନଙ୍କର ପ୍ରଭାବ ଓ ପ୍ରତିଷ୍ଠା ବିଷୟରେ କହିଥିଲେ । ସମ୍ମାନିତ ଅତିଥି ତଥା ନବରଙ୍ଗପୁରର ବରିଷ୍ଠ ଶିକ୍ଷାବିତ୍‌ ବଳରାମ ଛୁଆଳସିଂହ ସମଗ୍ର ବିଶ୍ୱର ଅଭ୍ୟୁତଥାନ ନିମନ୍ତେ ଏକମାତ୍ର ଭାରତୀୟ ସଂସ୍କୃତି ହିଁ ବାସ୍ତବ ଅବଲମ୍ବନ ବୋଲି କହିଥିବା ବେଳେ ଅନ୍ୟତମ ସମ୍ମାନିତ ବକ୍ତା ହୃଷୀକେଶ ଆଚାର୍ଯ୍ୟ ଆମର ଭାରତୀୟ ପରମ୍ପରାରେ ପ୍ରବର୍ଦ୍ଧିତ ଛାତ୍ରଛାତ୍ରୀଗଣଙ୍କ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ସମ୍ପର୍କରେ ସମ୍ୟକ୍‌ ଆଲୋକପାତ କରିଛନ୍ତି । ସଭାପତି ଡ଼ା. ମିଶ୍ର ଆମ ବୈଦିକ କର୍ମକାଣ୍ଡ ଓ ଭାରତୀୟ ଋଷି ଗଣଙ୍କ ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ଅନେକ ଚମତ୍କାର ତଥ୍ୟ ଓ ମନୁଷ୍ୟର ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ବିଭିନ୍ନ ସଂସ୍କାରଗୁଡିକର ବୈଜ୍ଞାନିକ ପ୍ରମାଣ ଗୁଡିକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିଛନ୍ତି । ଶେଷରେ ସାମୂହିକ ପ୍ରସାଦ ସେବନ ପରେ ସଭା ସମାପନ କରାଯାଇଅଛି ।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ କୁମାର ପୁଜାରୀ, ଦଶମୁ ପାତ୍ର, ପ୍ରଧାନ ଆଚାର୍ଯ୍ୟ ବଭ୍ରୂବାହନ ବାରିକ, ବାଙ୍କ ବିହାରୀ ବିଷୋୟୀ, ଶିବ ଶଙ୍କର ତ୍ରିପାଠୀ, ମୁନି ବିଷୋୟୀ, ଇନ୍ଦୁମତୀ ପାଢୀ, ରେଣୁକା ଆଚାର୍ଯ୍ୟ, ନରସିଂହ ତ୍ରିପାଠୀ, ଲଛମନ ଭତ୍ରା ପ୍ରମୁଖ ସହଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 − nine =