ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣୀଗୋଛାର ପ୍ରସିଦ୍ଧ ସ୍ୱୟଂମ୍ଭୁ ଶୈବପୀଠ ବାବା ଯୋଗେଶ୍ୱର ମହାଦବଙ୍କ ବିବାହ ଉତ୍ସବ ପ୍ରତିବର୍ଷପରି ଏବର୍ଷ ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱତ୍ରୀୟ ବ୍ରାହ୍ମଣମାନେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ବିବାହ କାର୍ଯ୍ୟ ସମାପନ କରିଥିଲେ । ସେବାୟତମାନଙ୍କ ଉପସ୍ଥିତିରେ କନ୍ୟା ପିତା ଓ ବରପିତା ହିସାବରେ ବୈକୁଣ୍ଠ ସାହୁ ଓ ଭୋଳେଶ୍ୱର ସାହୁ ଦେବଦମ୍ପତିଙ୍କ ଶୁଭ ବିବାହ କାର୍ଯ୍ୟ ତୁଲାଇଥିଲେ । ବିବାହ ସମାପନ ପରେ ଦେବ ଦଂପତି ଏକ ବିରାଟ ପଟୁଆରରେ ଗ୍ରାମ ଭ୍ରମଣ କରି ଶ୍ରୀ ପଂଚମୀ ମଇଦାନ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଦେବ ଦମ୍ପତିଙ୍କ ମନୋରଞ୍ଜନ ପାଇଁ ଉଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା ।
ଏହି ଉତ୍ସବକୁ ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ ଓ ନୟାଗଡ଼ ଜିଲ୍ଲା ବିଜେଡି ଉପ ସଭାପତି ପ୍ରଦୋଶ କୁମାର ଜେନା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବାବେଳେ ବରିଷ୍ଠ ସାମ୍ବାଦିକ ଶୁଶାନ୍ତ କୁମାର ସାହୁ ,ଦଶପଲ୍ଲା ସ୍ୱାଭାମାନ୍ ପରିବାରର ଦୃଢ ସଂଗଠକ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ଦଶପଲ୍ଲା ସ୍ୱାଭିମାନ ପରିବାରର ବହୁ ସଭ୍ୟ ଯୋଗ ଦେଇଥିଲେ । ବାଣୀଗୋଛା ଅଂଚଳର ଉଦୀୟମାନ୍ ଯୁବ ସଂଗଠକ ଯୁଗଳ କିଶୋର ମୁଦୁଲି ମଂଚ ପରିଚାଳନା କରିଥିବାବେଳେ ଦେବ ଦମ୍ପତିଙ୍କ ମନୋରଂଜନ ପାଇଁ ଅନୁଷ୍ଠିତ ଏହି ଉଦ୍ଦଣ୍ଡ ନୃତ୍ୟ ଦେଖିବାପାଇଁ ବାଣୀଗୋଛା ଅଂଚଳ ସମେତ ପଡୋଶୀ କନ୍ଧମାଳ ଓ ବୌଦ୍ଧ ଜିଲ୍ଲର ବହୁ ଜନସାଧାରଣଙ୍କର ଭିଡ଼ ଜମିଥିଲା ।