ଘର ନାହିଁ, ରହୁଥିଲେ ଆଦର୍ଶ ଗୁହାଳରେ : ଏବେ ଉଜାଡିଦେଲା କାଳବୈଶାଖୀ, ପରିବାର ବେସାହାର

0 591

ଦଶପଲ୍ଲା : ଗରିବ ଗୁରୁବାଙ୍କ ପାଇଁ ସରକାର ନାନାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ମୁଣ୍ଡଗୁଞ୍ଜି ରହିବାକୁ ପକ୍କା ଘରଖଣ୍ଡେ ନଥିବାରୁ ଆଦର୍ଶ ଗୁହାଳରେ ବିତୁଥିଲା ୪ ପ୍ରାଣୀ କୁଟୁମ୍ବଙ୍କ ଜୀବନ । ମୂଲପାତି କରି ଦୁଃଖେସୁଖେ ଚଳି ଆସୁଥିବା ବେଳେ ଏବେ ଛାରଖାର କରିଦେଇଛି କାଳ ବୈଶାଖୀ । ମୁଣ୍ଡ ଉପରେ ପଡିଥିବା ଆଜବେଷ୍ଟ ଗୁଡିକ ଉଡାଇ ନେବାପରେ ଏବେ ବେସାହାରା ହୋଇ ପଡିଛନ୍ତି ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଂଚାୟତର ବୁଗୁଡା ସିଲିଂ ସାହି ଗ୍ରାମରେ । ଗ୍ରାମର ସୁରେନ୍ଦ୍ର କହଁରଙ୍କ ପରିବାର କହିଲେ ପତ୍ନୀ ଶାନ୍ତି, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ସୁରେନ୍ଦ୍ର ପରିବାର ନେଇ ଝାଟିମାଟି ଘରେ ରହିବା ସହ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଇ ଆସୁଥିଲେ । ହେଲେ ସରକାରୀ ଯୋଜନାରେ ଘରଖଣ୍ଡେ ପାଇଁ ବାରମ୍ବାର ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଧାଇଁଧାଇଁ ନିରାଶ ହେବାକୁ ପଡିଛି । ହେଲେ ଘରଖଣ୍ଡେ ମିଳିପାରୁନି । ବହୁ କଷ୍ଟରେ ମନରେଗା ଯୋଜନାରେ ଆଦର୍ଶ ଗୁହାଳ ଖଣ୍ଡେ ମିଳିଥିଲା ।

hiring

ଏହି ଗୁହାଳ ନିର୍ମାଣ ପାଇଁ ୧ ଲକ୍ଷ ୧୩ ହଜାର ଟଙ୍କା ଅନୁଦାନ ରାଶି ମିଳିବା ପାଇଁ କୁହାଯାଇଛି । ହେଲେ ୧ ବର୍ଷ ହେଲା ଗୁହାଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏଯାଏଁ ଏହାର ଅନୁଦାନ ରାଶି ମିଳିନଥିବା ପତ୍ନୀ ଶାନ୍ତି ପ୍ରକାଶ କରିଛନ୍ତି । କେବଳ ୫/୬ ହଜାର ଟଙ୍କା ମିଳିଥିବା ବେଳେ ବିଲ୍‌ ପାଇଁ ଧାଇଁବାକୁ ପଡୁଛି । ମାତ୍ର ଘର ଅଭାବରୁ ୪ ପ୍ରାଣୀ କୁଟୁମ୍ବ ଏହା ମଧ୍ୟରେ ବସବାସ କରୁଥିଲେ । କବାଟ ନଥିବାରୁ ଦୁଆର ମୁହଁରେ ଏକ ବାଉଁଶ ତାଟି ଦେଇ ଦୁଃଖେସୁଖେ ଚଳି ଆସୁଥିଲେ । ମାତ୍ର ଗତକାଲି ରାତିରେ କାଳ ବୈଶାଖୀ ହେତୁ ବିଭିନ୍ନ ସ୍ଥାନରେ ଅଳ୍ପେ ବହୁତେ କ୍ଷତି ହୋଇଥିବା ବେଳେ ସୁରେନ୍ଦ୍ରଙ୍କ ପରିବାର ଉଜୁଡି ଯାଇଛି । ମୁଣ୍ଡ ଉପରେ ଥିବା ଆଜବେଷ୍ଟ ଗୁଡିକ ଉଡାଇ ନେବାପରେ ରାତିସାରା ଉଜାଗର ରହିବାକୁ ପଡିଛି । କୌଣସି ଉପାୟ ନଥିବାରୁ ଏବେ ଭାଇଙ୍କ ଘରେ ଆଶ୍ରୟ ନେଇଥିବା କହିଛନ୍ତି । ଗୋଟିଏ ପାର୍ଶ୍ୱରେ ଦେଖିବାକୁ ଗଲେ ତେଲିଆ ମୁଣ୍ଡରେ ତେଲ ଢାଳିବା ଭଳି ସରକାରୀ ଯୋଜନାରେ ଅନେକ ଥିଲାବାଲାଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଭାଗ ବସାଉଥିବା ବେଳେ ଏଭଳି ଗରିବ ଗୁରୁବାଙ୍କ ପାଇଁ ସରକାରୀ ଯୋଜନା ବାଟମାରଣା ହୋଇଚାଲିଛି । ଏ ଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟିଦେବା ସହ, ସ୍ଥାୟୀ ଭାବେ ବସବାସ କରିବା ପାଇଁ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

16 − thirteen =