ରାଷ୍ଟ୍ରୀୟ ସମାଜସେବୀ ପରିଷଦ ବୈଠକ

0 182

ନବରଙ୍ଗପୁର:ସମାଜରେ ଘଟୁଥିବା ନାରୀ ନିର୍ଯାତନା, ବାଲ୍ୟ ବିବାହ, ପାରିବାରିକ ବିଶୃଙ୍ଖଳା, ଜାତିଗତ କଟକଣା ଓ ପାରମ୍ପରିକ ଅନ୍ଧାନୁସରଣ ଆମକୁ ବହୁ ପଛକୁ ଠେଲି ଦେଇଛି । ଏକ ସୁସ୍ଥ ପରିବାର, ନୀତିନିଷ୍ଠ ବ୍ୟକ୍ତିତ୍ୱ, ଆଦର୍ଶ ଗ୍ରାମ ଓ ଭ୍ରାତୃଭାବ ଆଧାରର ଦେଶ ଗଠନ ଆମର ଲକ୍ଷ୍ୟ । ସମସ୍ତେ ସମାନ ଅଧିକାର, ଜୀଇବାର ସଫଳତା ନେଇ ନିର୍ଯାତନାବିହିନ ସଂସାର ଗଢି ଆଗାମୀ ପୀଢିକୁ ଆଦର୍ଶ ଓ ନୈତିକତାର ମୂଲ୍ୟବୋଧ ସମ୍ପର୍କରେ ପ୍ରେରଣା ଦିଅନ୍ତୁ । ସାରା ଦେଶ, ସାରା ରାଜ୍ୟ ପାରସ୍ପରିକ ସହବନ୍ଧ ନେଇ ଅଗ୍ରସର ହେବାକୁ ରାଷ୍ଟ୍ରୀୟ ସମାଜସେବୀ ପରିଷଦର ରାଜ୍ୟ ସଭାନେତ୍ରୀ ପ୍ରିୟମ୍ୱଦା ନାୟକ ଆବାହନ କରିଛନ୍ତି । ବେସାହାରା, ଗରୀବ, ଅସହାୟା ମହିଳା,ନିର୍ଯାତିତା,ନିପୀଡିତା ନାରୀ, ନାବାଳକ, ଅସହାୟ ବୃଦ୍ଧ, ଗରୀବ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଥିଲେ ଏହି ଅନୁଷ୍ଠାନ ବିନା ମୂଲ୍ୟରେ ସେମାନଙ୍କ ସକାଶେ ୨୪ ଘଣ୍ଟା ସେବା ସହଯୋଗ କରୁଛି ତା ସହ ସ୍ୱାସ୍ଥ୍ୟ ସେବା ରକ୍ତ ଦାନାଦି ମହତ କାର୍ଯ୍ୟ ସକାଶେ ମଧ୍ୟ ଏହା ପ୍ରମୁଖ ଭୂମିକା ନିଭାଇ ଆସିଛି । ଶ୍ରୀରାମକୃଷ୍ଣ ତପୋବନ ଆଶ୍ରମ ମଧ୍ୟରେ ଅନୁଷ୍ଠିତ ଏହି ବେସରକାରୀ ସେବାମୂଳକ ଅନୁଷ୍ଠାନର ପ୍ରଥମ ସାଂଗଠନିକ ବୈଠକରେ ସଭାନେତ୍ରୀ ଅନୁଷ୍ଠାନର୍‌ ଆଭିମୁଖ୍ୟ, ସମାଜରେ ଏହାର ପ୍ରଭାବ, ସହଯୋଗ ଓ ଜନସଚେତନତା ନେଇ ବୁଝାଇ ଥିଲେ ।
କୃଷ୍ଣଚନ୍ଦ୍ର ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରଥମ ବୈଠକରେ ଅନୁଷ୍ଠାନର ରାଜ୍ୟ ସମ୍ପାଦିକା ସୁସ୍ମିତା ମହାନ୍ତି ଅନୁଷ୍ଠାନର ସଫଳତା ଓ ଯୁବମାନସରେ ଏହାର ସୁପ୍ରଭାବ ନେଇ ଆଲୋକପାତ କରିଥିଲେ । ନବରଙ୍ଗପୁର ପରି ଅନୁନ୍ନତ ଅଞ୍ଚଳରେ ଶିକ୍ଷା ସ୍ୱାବଲମ୍ୱନଶୀଳତା ସହ ସାମାଜିକ କୁପ୍ରଥା ବିରୋଧରେ ଲଢି ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ଉନ୍ନତ ପରିବେଶ ଗଢିବା ଲକ୍ଷ୍ୟ ନେଇ ଅନୁଷ୍ଠାନ କାମ କରିବ । ସମାଜର ସବୁ ବର୍ଗର ଲୋକ ଭାଇଚାରା ରୋପି ଶୋଷଣ ଓ ଅତ୍ୟାଚାର ମୁକ୍ତ ହୋଇ ବଞ୍ଚିବାର ଅଧିକାର ପାଇବାକୁ ଏ ଅନୁଷ୍ଠାନ ତିଆରି । ଅଞ୍ଚଳ, ଜିଲ୍ଲା ଓ ରାଜ୍ୟ ମଧ୍ୟରେ କାର୍ମିକ ଦୂରତା ହ୍ରାସ ପାଇ ପ୍ରତ୍ୟେକ ଲୋକ ନ୍ୟାୟ, ସେବା,ବିଚାର, ଶିକ୍ଷା,ସଂସ୍କାର ଓ ଆର୍ଥିକ ସୁବିଧା ଲାଭ ଏହାର ଲକ୍ଷ୍ୟ । ଏହି ବୈଠକରେ ସମାଜସେବୀ ସର୍ବେଶ୍ୱର ତ୍ରିପାଠୀ, ସୁଧୀର ପାତ୍ର, ଜଗନ୍ନାଥ ବେହେରା, ବବିତା ସାହୁ, ତରୁଣ କୁମାର, ମୋହନ ଚରଣ ପଟ୍ଟନାୟକ, ତୁଳାରାମ ସୂନା, ପ୍ରେମାନନ୍ଦ ବିଷୟୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × three =