ଆଦିବାସୀ ବୃଦ୍ଧା ଭତ୍ତାରୁ ବଞ୍ଚିତ, ପ୍ରଶାସନର ଦୃଷ୍ଟି ପଡୁନି

0 60

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବେନଗାଁ ପଞ୍ଚାୟତର ଧଅଁଡାଭଟା ଗାଁର ଆଦିବାସୀ କୁଟିଆ କନ୍ଧ ବୃଦ୍ଧାମାନେ ବର୍ଷ ବର୍ଷ ଧରି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି । ସେମାନଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇ ବର୍ଷ ବର୍ଷ ବିତିଯାଇଥିବା ବେଳେ ବୟସ ମଧ୍ୟ ୭୦ ପାର ହେଲାଣି । ପଞ୍ଚାୟତ କାର୍ଯ୍ୟାଳକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କିନ୍ତୁ ସେମାନଙ୍କୁ ପ୍ରଶାସନ ତରଫରୁ କୌଣସି ଭତ୍ତା ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମାନଙ୍କ ବୟସ ଅତିକ୍ରମ କରିବା ସହିତ ଏମାନେ ନିହାତି ଗରିବ ହୋଇଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି । ପୂର୍ବରୁ ଉକ୍ତ ସମସ୍ୟା ନେଇ ସେମାନେ ପଞ୍ଚାୟତଠାରୁ ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେମାନଙ୍କ ବୟସ ୭୦ବର୍ଷ ଅତିକ୍ରମ କରିଥିବା ଯୋଗୁଁ ନିଜ ଗାଁ ଧଅଁଡାଭଟା ଠାରୁ ବେନଗାଁ ପଞ୍ଚାୟତ ୪ କିମି ଦୂର ଯିବା ମଧ୍ୟ ଏମାନଙ୍କୁ ପାଇଁ ସମ୍ଭବ ହେଉନାହିଁ । ବ୍ଳକ ମହକୁମା ୩୫ କିଲୋମିଟର ଦୂରରେ ରହିଥିବା ବେଳେ ଏହି ଗରିବ ମହିଳା ମାନେ ନିଜ ଭତ୍ତା ପାଇଁ ବ୍ଳକ ଅଫିସକୁ ୩୫ କିମି ଦୂର ଯିବା ସମ୍ଭବ ହେଉନାହିଁ । ସରକାର ଆଦିବାସୀ କୁଟିଆ କନ୍ଧ ପରିବାର ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିଲେ ମଧ୍ୟ ଏହି ଗରିବ ଶ୍ରେଣୀର ଲୋକେ ଆଜି ପର୍ଯ୍ୟନ୍ତ ବିଧବା କି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅଛନ୍ତି । ଧଅଁଡାଭଟା ଗାଁର ଆନ୍ଦ୍ରାଣୀ ମାଝୀ ବୟସ ୭୦ ଅତିକ୍ରମ କରିଥିବା ବେଳେ ସ୍ୱାମୀ ମଧ୍ୟ ବହୁ ବର୍ଷ ହେଲା ମୃତ୍ୟୁ ବରଣ କରିଛନ୍ତି । ହେଲେ ତାଙ୍କୁ ଆଜି ପର୍ଯ୍ୟନ୍ତ ବିଧବା କି ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ପ୍ରକାଶ କରିଛନ୍ତି ।ସେହିପରି ଗାଁର ତାଙ୍କ ବୟସର ମହିଳା ମାନେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏନେଇ ବେନଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ କୁମାର ଶବରଙ୍କୁ ପଚାରିବାରୁ ବର୍ତ୍ତମାନ ମୁଁ ସେହି ଗ୍ରାମର ବୃଦ୍ଧା ମାନଙ୍କ ଭତ୍ତା ପାଇଁ କାଗଜପତ୍ର ଦେଇଥିଲି । କେଉଁ କାରଣରୁ ଭତ୍ତା ଆସିଲା ନାହିଁ ତାହା ତଦନ୍ତ କରିବି । ସରପଞ୍ଚ ପୁରାଣା ମାଝୀ ସହିତ ସେହି ଗ୍ରାମକୁ ପୁଣି ଯିବି ବୋଲି ପ୍ରକାଶ କରିଥିଲେ । ଏଣୁ ଏଥିପ୍ରତି ବ୍ଳକ ପ୍ରଶାସନ ତଥା କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − six =