ଦିନ ଦ୍ୱିପହର ଡକାୟତିକାଣ୍ଡର ପର୍ଦ୍ଦାଫାଶ,୭ ଗିରଫ

0 121

ସମ୍ବଲପୁର: ଗତ ୪ତାରିଖ ଦିନ ଦ୍ୱିପହରରେ ସ୍ଥାନୀୟ ଧନକଉଡ଼ାରେ ଏକ ଡକାୟତି କାଣ୍ଡ ଏଠାରେ ଚହଳ ସୃଷ୍ଟି କରିଥିଲା । ଏହି ଡକାୟତି କାଣ୍ଡର ପର୍ଦ୍ଦାଫାଶ କରିବା ସହିତ ପୁଲିସ ଏଥିରେ ସାମିଲ ୧୦ ଜଣଙ୍କ ମଧ୍ୟରୁ ୭ଜଣଙ୍କୁ ଗିରଫ କରିଛି ଓ ଫେରାର ଅନ୍ୟ ୩ ଜଣଙ୍କୁ ଖୋଜୁଛି । ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡକାଇ ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଉକ୍ତ ଡକାୟତି ପାଇଁ ବ୍ୟବହୃତ ଗୋଟିଏ କାର ଓ ୪ଟି ବାଇକ ମଧ୍ୟ ଜବତ କରାଯାଇଛି । ପ୍ରଦତ୍ତ ତଥ୍ୟରୁ ପ୍ରକାଶ ଯେ ସ୍ଥାନୀୟ ସିଟି ରେଲୱେ ଷ୍ଟେସନ ସମ୍ମୁଖ ଓ ଧନକଉଡ଼ା ଗାଁର ଏକ ନିଛାଟିଆ ସ୍ଥାନ ସ୍ଥିତ ଏକ କିରାନା ଦୋକାନ ଉପରେ ପୂର୍ବରୁ ନଜର ରଖିବା ସହ ସେଠାରେ ଡକାୟତି କରିବା ପାଇଁ ଏହି ଦଳ ଯୋଜନା କରିଥିଲା । ସେଦିନ ଦ୍ୱିପହର ପ୍ରାୟ ୨ଟା ସମୟରେ ନିଛାଟିଆ ସୁଯୋଗ ଦେଖି ସେମାନେ ସେଠାରେ ହଠାତ ଆକ୍ରମଣ କରିଥିଲେ । ସେତେବେଳେ ଦୋକାନରେ ଥିବା ବୁଢ଼ାବୁଢ଼ୀଙ୍କୁ ଆୟତ୍ତ କରି ବାଡିଆପିଟା କରିବା ସହିତ ସେମାନଙ୍କ ପାଖରେ ଥିବା ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଲୁଟି ନେଇଥିଲେ । ଆଉ ଅଧିକ ଧନଲୋଭରେ ଘର ଉପର ମହଲାକୁ ଯିବାରୁ ସେଠାରେ ତାଙ୍କର ପୁଅ ସେମାନଙ୍କ ସାମନା କରିବା ସହିତ ସାହାଯ୍ୟ ପାଇଁ ଚିତ୍କାର କରିଥିଲା ଓ ଆଖପାଖ ଲୋକେ ସେଠାରେ ପହଞ୍ଚିବା ପୂର୍ବରୁ ଡକାୟତମାନେ ସେଠାରୁ ଫେରାର ହୋଇଯାଇଥିଲେ । ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ଭିତରେ ଏଭଳି ଦିନ ଦ୍ୱିପହର ଡକାୟତିକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ତୁରନ୍ତ ତଦନ୍ତ ପରେ ଏମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି ଓ ଫେରାର ଅନ୍ୟ ୩ ଜଣଙ୍କୁ ଧରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ପୁଲିସ ଅଧିକ୍ଷକ ତପନ ମହାନ୍ତି, ଏସଡିପିଓ ପ୍ରଦୀପ୍ତ ସାହୁ ଓ ଧନୁପାଲି ଥାନା ପ୍ରଭାରୀ ମଧ୍ୟ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

3 × 4 =