ଘୁ ଉଦୟଗିରି: ସୌନ୍ଦର୍ଯ୍ୟର ଅନ୍ୟ ଏକ ଆକର୍ଷଣ ପାଲଟିଛି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ୱାସ୍ଥ୍ୟ କେନ୍ଦ୍ରର ରୂପରେଖ ବଦଳିବାରେ ଲାଗିଛି । ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବା ସହ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସବୁଜ ସୁନ୍ଦର କରି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ପାଇଁ ଏକ ଅନୁକୂଳ ପରିବେଶ ପ୍ରସ୍ତୁତ ହୋଇଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରର ମୁଖଶାଳା ଠାରୁ ଆରମ୍ଭ କରି ବିଭିନ୍ନ ଖାଲି ସ୍ଥାନରେ ସାଜସଜ୍ଜା କରାଯିବା ସହ ଫୁଲ ବଗିଚା ନିର୍ମାଣ କରାଯାଇଛି । ଜମିକୁ ଖାଲି ରଖିବାକୁ ଦିଆଯାଉନାହିଁ । ସମସ୍ତ ଜାଗାକୁ ଉପଯୋଗ କରାଯାଇ କେଉଁଠି ପାର୍କ ତିଆରି କରାଯାଉଛି ତ କେଉଁଠି ଫୁଲ ବଗିଚା ଆଉ କେଉଁଠି ଆଇ ଲଭ ସିଏଚସି ଲେଖି ଆଲୋକ ଖୁଣ୍ଟ ଲଗେଇ ଲୋକଙ୍କୁ ଆକୃଷ୍ଟ କରାଯାଉଛି । ସନ୍ଧ୍ୟା ହେଲେ ଆଲୋକ ବ୍ୟବସ୍ଥା କରାଯାଇ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ମେଡ଼ିକାଲ ପରିସରରେ ଲାଗିଥିବା ବଡ଼ ବଡ଼ କଦମ୍ବ ଗଛ ତଳେ ବସିବା ବ୍ୟବସ୍ଥା କରାଯାଇଛି । ମେଡ଼ିକାଲ ଅଫିସର ଡ଼ଃ ଶକ୍ତିକାନ୍ତ ମଲିକଙ୍କ ନିଷ୍ଠାପର ଉଦ୍ୟମ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ନଂରେ ପରିଣତ କରିବାର ପ୍ରୟାସ ଯୋଗୁଁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଏକ ସ୍ୱଚ୍ଛ ସୁନ୍ଦର ଭବେ ଉଭା ହୋଇଛି । ଖାଲିଯେ ବାହାର ପରିବେଶକୁ ସୌନ୍ଦର୍ଯ୍ୟକରଣ କରାଯାଇଛି ତା’ ନୁହେଁ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ମଧ୍ୟ ରୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଜରାଯାଇଛି । ଭିତର ସ୍ୱଚ୍ଛତା ପ୍ରତି ଅଧିକ ଗୁରୁତ୍ୱ ଦେଇ ପ୍ରତ୍ୟେକ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନିୟମିତ ସଫେଇ ପୋଛା ମରାଯିବା ସହ ଶୌଚାଳୟକୁ ବି ବ୍ୟବସ୍ଥିତ କରାଯାଇଛି ରୋଗୀଙ୍କ ବ୍ୟବହାର ପାଇଁ । ରୋଗୀ ରହୁଥିବା ରୁମରେ ଲାଇଟ ଫ୍ୟାନ ସହ ମଶା ନ ହେବା ନିମନ୍ତେ ଯନ୍ତ୍ର ଖଞ୍ଜା ଯାଇଛି । ସେବୀକା ପ୍ରକୋଷ୍ଠକୁ ସୁନ୍ଦର ଭାବେ ଫୁଲ ଗଛ କୁଣ୍ଡ ରଖି ସଜ୍ଜା ଯାଇଛି । ପରିସରରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ନିମନ୍ତେ ସମସ୍ତ ପ୍ରକାର ସୂଚନାଫଳକ ଲଗାଯାଇଛି । ମେଡ଼ିକାଲ ପରିସର ଚାରିପାଖ ସବୁଜ ସୁନ୍ଦର ଦେଖାଯାଉଛି । ଯେଉଁଠି ଖାଲି ସ୍ଥାନ ଅଛି, ସେଠି ଫୁଲ ଗଛ ସହ ବିଭିନ୍ନ କିସମର ଗଛ ଲଗେଇ ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବା ପ୍ରଚେଷ୍ଟା ଚାଲିଛି । ମେଡିକାଲ ଅଫିସର ଶକ୍ତିକାନ୍ତ ମଲିକ ଅହରହ ଉଦ୍ୟମ ଚଳେଇଛନ୍ତି ମେଡ଼ିକାଲର ଭିତ୍ତିଭୂମି ସୁଦୃଢ ସହ ସ୍ୱଚ୍ଛତା ଏବଂ ସୌନ୍ଦର୍ଯ୍ୟକରଣ ଏବଂ ସବୁଜ ସୁନ୍ଦର କରିବା ନିମନ୍ତେ ।