କ.ନୂଆଗାଁ ବ୍ଲକରେ ଜଳକଷ୍ଟ,ଦୂଷିତ ଗୋଳିଆ ଚୂଆ ପାଣି ଗ୍ରାମବାସୀଙ୍କ ଭରସା

0 116

ବାଲିଗୁଡ଼ା: ସରକାରଙ୍କ ବହୁଧା ଯୋଜନା ଫେଲ୍‌ । ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଦୂଷିତ ଚୁଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷ୍ଣା । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକ୍‌ କ.ନୁଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ଗ୍ରାମ ପଞ୍ଚାୟତର ସାରକେତା ଗାଁରେ । ଦୀର୍ଘ ବର୍ଷ ପରେ ମଧ୍ୟ ଲୋକଙ୍କୁ ମୌଳିକ ସୁବିଧା ମିଳୁନି । ବିଶୁଦ୍ଧ ପାନୀୟ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ହେଲେ ଏଯାବତ୍‌ ସମସ୍ୟାର କୌଣସି ସୁଫଳ ମିଳିନାହିଁ । କୁଡୁତୁଲି ଗ୍ରାମ ପଂଚାୟତର ସାରକେତା ଗାଁର ନିମାପଡା, ଖଲିଆପଦର ଓ ବାଲିପଙ୍କାଲ ଅଞ୍ଚଳରେ ପାଖାପାଖି ୩୦ ବର୍ଷ ହେବ ୨୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି ହେଲେ, ଯେମିତି ଏମାନେ ଅଭିଶପ୍ତ । କେବଳ ପାନୀୟ ଜଳ ନୁହେଁ ବରଂ ପ୍ରଶାସନିକ ଅବହେଳା ଓ ଆନ୍ତରିକତା ଅଭାବରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି ।

hiring

ଅନ୍ୟପଟେ ଦୀର୍ଘ ବର୍ଷ ପରେ ଗାଁରେ ଏକ ନଳକୂପ ନୂତନ ଭାବେ ଖୋଳାଯାଇଛି ସତ କିନ୍ତୁ ତାହା ମଧ୍ୟ ଏଯାଏଁ କାର୍ଯ୍ୟକ୍ଷମ ହୋଇନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ପ୍ରଶାସନର କେତେ ଆନ୍ତରିକତା ଅଛି ଏ ଅଞ୍ଚଳବାସୀଙ୍କ ପାଇଁ । “ଜଳ ହିଁ ଜୀବନ’ ଏଣୁ ବାଧ୍ୟ ହୋଇ ପ୍ରତି ଦିନ ଦୁଇ କିଲୋମିଟର ବାଟଯାଇ ଗ୍ରାମବାସୀଙ୍କ ଦ୍ୱାରା ବିଲମଝିରେ ଖୋଳାଯାଇଥିବା ଚୁଆର ଗୋଳିଆ ପାଣିକୁ ବ୍ୟବହାର କରୁଛନ୍ତି ଲୋକେ । ଫଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଜଣା ରୋଗରେ ପୀଡିତ ହେଉଛନ୍ତି ଲୋକେ । ଏ ତ ଗଲା ଜଳ କଷ୍ଟ । ବିଜୁଳି କଥା ନକହିବା ଭଲ । ବିଜୁଳି ଆଲୋକ ନଥିବାରୁ ଦୈନନ୍ଦିନ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀ ରାଜନେତା ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକରେ ଏଭଳି ସମସ୍ୟା ଥିବା ସତ୍ତେ୍ୱ ତାଙ୍କର ଏଥିପ୍ରତି ନିଘା ନାହିଁ ବୋଲି ସାଧାରଣରେ ଚର୍ଚ୍ଚର ବିଷୟ ପାଲଟିଛି । ସେପଟେ ତୁରନ୍ତ ପ୍ରଶାସନ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

hiranchal ad1
Leave A Reply

Your email address will not be published.

5 × 2 =