ଠିକା ନେଇ ଅଧାରେ ଛାଡିଦେଲା ଠିକାଦାର, ଘର ପାଇଁ ସରକାରୀ ସହାୟତା ଅପେକ୍ଷାରେ ପରିବାର

0 117

ନୂଆପଡ଼ା : ନା ଭଲ ଘର ଖଣ୍ଡେ ଅଛି, ନା ସବୁଦିନ ଚଳିବା ପାଇଁ କୌଣସି ରୋଜଗାର ପନ୍ଥା ଅଛି । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଛାରମୁଣ୍ଡାପଡା । ଏହା ଏକ ପଡା ଗ୍ରାମ । ଏହି ଗ୍ରାମର ବୃଦ୍ଧା ନେପୁର ମାଝୀ ଓ ପରିବାରଙ୍କ ଦୁଃଖ କହିଲେ ନସରେ । ନେପୁରଙ୍କ ଏକମାତ୍ର ପୁଅ ଦଶମୁଙ୍କ ମୃତ୍ୟୁ ପରେ ପରିବାର ନିଃସହାୟ ହୋଇପଡିଛି । ଗତ ନୂଆଁଖାଇ ବାସି ଦିନ ଦଶମୁ ଗ୍ରାମର ଅନ୍ୟମାନଙ୍କ ସହ ଆନ୍ଧ୍ରପ୍ରଦେଶ ଇଟା ଗଢିବାକୁ ଯାଇଥିଲେ । ବଡ଼ ଝିଅର ବିବାହ ଠିକ ହେବାରୁ ଚଳିତ ଫେବ୍ରୁଆରୀ ମାସରେ ଘରକୁ ଫେରି ଆସିଥିଲେ । ଫେରିବାର ଆଠ ଦିନ ପରେ ହଠାତ ଅସୁସ୍ଥ ହୋଇପଡିଲେ । ତାଙ୍କୁ ଡାକ୍ତରଖାନା ନେବାକୁ ପ୍ରସ୍ତୁତ ହେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଦଶମୁଙ୍କ ସ୍ତ୍ରୀ କମଲେ ଏବେ ପରିବାର ଚଳାଉଛନ୍ତି । ତାଙ୍କ ଉପରେ ଚାରି ପୁଅ ଝିଅ ଓ ବୃଦ୍ଧା ଶାଶୂଙ୍କ ଦାୟିତ୍ୱ । ତାଙ୍କର ଜମି ବାଡ଼ି ନଥିବା ବେଳେ ପରଘରେ ମୂଲ ଲାଗି ପେଟ ପୋଷୁଛନ୍ତି । ବୃଦ୍ଧା ନେପୁରଙ୍କ ବୟସ ୮୩ ବର୍ଷ, ନିୟମ ଅନୁସାରେ ଆଠ ଶହ ଟଙ୍କା ଭତ୍ତା ପାଇବା କଥା କିନ୍ତୁ ପାଞ୍ଚ ଶହ ପାଉଛନ୍ତି । ପିଏଚଏଚ କାର୍ଡ ରେ ୨୫ କିଲୋଗ୍ରାମ ଚାଉଳ ମିଳୁଛି ସେତିକି ହିଁ ସମ୍ବଳ । ପରିବାର ଲୋକେ ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି, ଯାହା କେତେବେଳେ ମଧ୍ୟ ଭୁଶୁଡି ଯାଇପାରେ ।୨୦୧୪/୧୫ ରେ ନେପୁରଙ୍କ ନାମରେ ଆବାସ ଯୋଜନାରେ ଏକ ଘର ମିଳିଥିଲା । ଘର ତିଆରି ପାଇଁ କିଛି ଲୋକ ଠିକା ନେଇଥିଲେ । କିନ୍ତୁ ଅସମ୍ପୂର୍ଣ୍ଣ କରି ଛାଡି ଦେଇଛନ୍ତି ବୋଲି ନେପୁର ଅଭିଯୋଗ କରନ୍ତି । ଏହାର ତଦନ୍ତ କଲେ ପ୍ରକୃତ କଥା ଲୋକଲୋଚନକୁ ଆସି ପାରିବ ବୋଲି ପରିବାର ସହ ଗ୍ରାମବାସୀ କହୁଛନ୍ତି । ଏନେଇ କର୍ଲାକୋଟ ସରପଞ୍ଚ ମଙ୍ଗଳ ସିଂ ଦଳଙ୍କୁ ପଚାରିବାରୁ ଆବାସ ଯୋଜନା ଘର ଉପରେ ଜାଣି ନଥିବା କହିଥିଲେ ଓ ତାଙ୍କ କାଗଜପତ୍ର ସଂଗ୍ରହ କରାଯାଇଛି ,ଅତିଶୀଘ୍ର ଭତ୍ତା ପ୍ରଦାନ ସହ ପରିବାର ମଙ୍ଗଳ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eleven + 11 =